ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବନ୍ୟା ଦୁର୍ଦ୍ଦଶା। ହଜାର ହଜାର ଲୋକେ ଏବେ ପାଣି ଘେରରେ ଜଳବନ୍ଦୀ। ଏହି ସଙ୍କଟଜନକ ସ୍ଥିତିକୁ ନେଇ ଶୁକ୍ରବାର ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏସଆରସି (SRC) ଏବଂ ଜଳସମ୍ପଦ ଓ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ। ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ରିପୋର୍ଟ ଉପରେ…
ରାଜ୍ୟରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ବିଶେଷ କରି ମହାନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ୮ ଲକ୍ଷ ୬୫ ହଜାର କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି। ମହାନଦୀକୁ ଛାଡ଼ିଦେଲେ ବାକି ସବୁ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ବିଶେଷ ସତର୍କତା ବା ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ଯାଜପୁର ଜିଲ୍ଲାରେ ସର୍ବାଧିକ ଘାଇ ସୃଷ୍ଟି ହୋଇଥିବା ସୂଚନା ମିଳିଛି।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ପାଗ ପ୍ରାୟତଃ ଶୁଖିଲା ଅଛି ଏବଂ ଆସନ୍ତାକାଲି ମଧ୍ୟ ମାତ୍ର ୨ରୁ ୩ଟି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବନ୍ୟା ସ୍ଥିତିରେ ଅନେକ ସୁଧାର ଆସିବ।
-
ରାଜ୍ୟର ୧୫ଟି ଜିଲ୍ଲାର ୫୭ଟି ବ୍ଲକ୍ ବନ୍ୟା ଦ୍ୱାରା ପ୍ରଭାବିତ।
-
୪୪୬ଟି ପଞ୍ଚାୟତ, ୧୩୬୨ଟି ଗାଁ ଏବଂ ୧୧ଟି ପୌରାଞ୍ଚଳର ପ୍ରାୟ ୭ ଲକ୍ଷ ଲୋକ ପ୍ରଭାବିତ।
-
୨ ଲକ୍ଷ ୬୮ ହଜାର ୯୪୩ ଜଣ ଲୋକ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।
-
୨୧ ହଜାର ୩୮୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୭୦୦ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିଯାଇଛି।
ବନ୍ୟା ପ୍ରଭାବିତଙ୍କୁ ସହାୟତା ଯୋଗାଇଦେବା ପାଇଁ ୬୪୭ଟି ରିଲିଫ୍ ସେଣ୍ଟର ଖୋଲାଯାଇଛି। ବନ୍ୟା ପାଣି ନ କମିବା ପର୍ଯ୍ୟନ୍ତ ପ୍ରଭାବିତଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ହେବା କ୍ଷଣି ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେବା ସହ ସରକାରଙ୍କୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

