ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ କୃଷି, ଆଇନ ଏବଂ ସେବା ସଂସ୍କାର କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ ମିଳିଛି। ଚାଷୀଙ୍କ ଆୟ ବୃଦ୍ଧି ଏବଂ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।
ରାଜ୍ୟରେ କୃଷି ଯନ୍ତ୍ରପାତି, ଉପକରଣ ଓ ଡିଜେଲ ପମ୍ପସେଟ୍ର ଲୋକପ୍ରିୟକରଣ ଯୋଜନାର ଅବଧିକୁ ଆଉ ୫ ବର୍ଷ ବୃଦ୍ଧି କରାଯାଇଛି।
-
ବଜେଟ୍ ବ୍ୟୟବରାଦ: ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ପାଇଁ ୨,୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
-
ହିତାଧିକାରୀ: ଏହି ବର୍ଦ୍ଧିତ ଅବଧି ମଧ୍ୟରେ ରାଜ୍ୟର ୩.୮ ଲକ୍ଷ ଚାଷୀ ଉପକୃତ ହେବାର ଲକ୍ଷ୍ୟ ରଖାଯାଇଛି।
-
ଯୋଜନାର ସୁବିଧା: ଟ୍ରାକ୍ଟର, ରୋଟାଭେଟର, ପାୱାର ଟିଲର, କମ୍ବାଇਨ ହାର୍ଭେଷ୍ଟର ସମେତ ଅନ୍ୟାନ୍ୟ କୃଷି ଓ ଅମଳ ପରବର୍ତ୍ତୀ ଆଧୁନିକ ଯନ୍ତ୍ରପାତି କିଣିବା ପାଇଁ ଚାଷୀଙ୍କୁ ରିଆତି ଆକାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
ସରକାରୀ ମକଦ୍ଦମା ସୁପରିଚାଳନା ଏବଂ ଆଇନଗତ ପ୍ରତିନିଧିତ୍ୱକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ‘ଓଡ଼ିଶା ରାଜ୍ୟ ବିଧି ସେବା (OSLS) କ୍ୟାଡର୍ ନିୟମାବଳୀ, ୨୦୨୬’କୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।
-
ବିଧି ବିଭାଗ ନିୟନ୍ତ୍ରଣ: ଏହି ନୂତନ ନିୟମାବଳୀ ବଳରେ ବିଧି ବିଭାଗକୁ କ୍ୟାଡର୍ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷ ଭାବେ ସ୍ୱୀକୃତି ଦିଆଯାଇଛି।
-
ସୁଫଳ: ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟ-କଚେରୀ ମାମଲାର ପରିଚାଳନା ଅଧିକ ସୁଦୃଢ଼ ହେବ।
-
ସ୍ପଷ୍ଟ ଢାଞ୍ଚା: ନିଯୁକ୍ତି, ପଦୋନ୍ନତି, ବରିଷ୍ଠତା ଓ ସେବା ସମ୍ବନ୍ଧୀୟ ନିୟମାବଳୀ ପାଇଁ ଏକ ସ୍ପଷ୍ଟ ସଂରଚନା ପ୍ରସ୍ତୁତ କରାଯାଇଛି।
ସର୍ବୋଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ୱାର୍କ ଚାର୍ଜଡ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟଶ୍ରୀ ମହାପାତ୍ରଙ୍କୁ ‘ଓଡ଼ିଶା ଇଞ୍ଜିନିୟରିଂ ସେବା’ ଅଧୀନସ୍ଥ କ୍ୟାଡର୍ରେ ନିୟମିତ (Regularize) କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି।


