PRAGATI-50ରେ ଓଡ଼ିଶାର ଦୁଇ ସହର: ଭୁବନେଶ୍ୱର ଓ ପୁରୀ I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର: ସ୍ୱଚ୍ଛତା ଓ ବୈଜ୍ଞାନିକ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଆଉ ଏକ ଜାତୀୟ ସ୍ୱୀକୃତି। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ୍-ଅର୍ବାନ୍ ୨.୦ ଅଧୀନରେ ଆରମ୍ଭ ହୋଇଥିବା PRAGATI-50 ପଦକ୍ଷେପରେ ଓଡ଼ିଶାର ଭୁବନେଶ୍ୱର ଓ ପୁରୀ ସାମିଲ ହୋଇଛନ୍ତି।

ଦେଶର ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୦ଟି ସହରକୁ ଏହି ପଦକ୍ଷେପ ପାଇଁ ଚୟନ କରାଯାଇଛି। ଚୟନିତ ସହରଗୁଡ଼ିକୁ ‘ମଡେଲ୍ ସାନିଟେସନ୍ ସିଟି’ ଭାବେ ବିକଶିତ କରିବା PRAGATI-50ର ମୁଖ୍ୟ ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମରେ ଠୋସ ବର୍ଜ୍ୟ ପରିଚାଳନା, ବ୍ୟବହୃତ ଜଳ ପରିଚାଳନା, ସ୍ୱଚ୍ଛତା, ପରିମଳ ଏବଂ ନାଗରିକଙ୍କ ଅଂଶଗ୍ରହଣ ଭଳି କ୍ଷେତ୍ରରେ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ନିଆଯିବ। ନିୟମିତ ତଦାରଖ, ବୈଷୟିକ ମାର୍ଗଦର୍ଶନ ଓ ବିଭିନ୍ନ ସଂସ୍ଥାର ସମନ୍ୱୟ ମାଧ୍ୟମରେ ସ୍ଥାୟୀ ସ୍ୱଚ୍ଛତା ବ୍ୟବସ୍ଥା ଗଢ଼ିବାକୁ ଯୋଜନା ରହିଛି।

PRAGATI-50ର ଭର୍ଚୁଆଲ୍ ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ କେନ୍ଦ୍ରମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଆଲୋଚନା କରିଥିଲେ। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଆଲୋଚନା ସମୟରେ ଡଃ ମହାପାତ୍ର ଓଡ଼ିଶାରେ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ପାଇଁ ଚାଲିଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଦେଇଥିଲେ। ଭୁବନେଶ୍ୱର, କଟକ ଓ ପୁରୀରେ Compressed Bio-Gas (CBG) ପ୍ଲାଣ୍ଟ ପ୍ରତିଷ୍ଠା ଦିଗରେ କାମ ଚାଲିଥିବାବେଳେ ଭୁବନେଶ୍ୱର ଓ କଟକରେ ବର୍ଜ୍ୟରୁ ଚାରକୋଲ୍ ପ୍ରସ୍ତୁତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।

ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇଥିବାବେଳେ ପୁରୀ ଦେଶର ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ସହର। ପ୍ରତିବର୍ଷ ଏହି ଦୁଇ ସହରକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଆସୁଥିବାରୁ ସ୍ୱଚ୍ଛତା ଓ ବର୍ଜ୍ୟ ପରିଚାଳନାର ଗୁରୁତ୍ୱ ଅଧିକ।

PRAGATI-50 ଅଧୀନରେ ଭୁବନେଶ୍ୱର ଓ ପୁରୀରେ ସ୍ୱଚ୍ଛତା ବ୍ୟବସ୍ଥା, ବର୍ଜ୍ୟ ପରିଚାଳନା ଓ ନାଗରିକ ଅଂଶଗ୍ରହଣକୁ ଆହୁରି ସୁଦୃଢ଼ କରାଯିବ।

ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ, ସମ୍ପୃକ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ SBM-U ଟିମ୍ର ସମନ୍ୱୟରେ ନିର୍ଦ୍ଧାରିତ SOP ଓ କାର୍ଯ୍ୟଯୋଜନା ଅନୁଯାୟୀ କାମ କରାଯିବ। ପ୍ରମୁଖ ପ୍ରଦର୍ଶନ ସୂଚକ ଆଧାରରେ କାର୍ଯ୍ୟର ଅଗ୍ରଗତି ମଧ୍ୟ ନିୟମିତ ଅନୁଧ୍ୟାନ କରାଯିବ।

Sidha Sambad
Author: Sidha Sambad

Leave a Comment

और पढ़ें