ଭୁବନେଶ୍ୱର (ସିଧା ସମ୍ବାଦ): ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର। ଅବସରଗ୍ରହଣ ପରେ ପେନ୍ସନ୍ ଏବଂ ଗ୍ରାଚ୍ୟୁଇଟି ଟଙ୍କା ପାଇବାରେ ବର୍ଷେରୁ ଅଧିକ ବିଳମ୍ବ ହେଲେ, ଏବେ ସରକାର ୭ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବେ। ରାଜ୍ୟ କ୍ୟାବିନେଟ୍ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିବା ପରେ ଅର୍ଥ ବିଭାଗ ପକ୍ଷରୁ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି।
କେମିତି ମିଳିବ ସୁଧ? ଓଡ଼ିଶା ବେସାମରିକ ସେବା (ପେନ୍ସନ୍) ନିୟମ-୧୯୯୨ର ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ, କୌଣସି ସରକାରୀ ଅଧିକାରୀ କିମ୍ବା ବିଭାଗୀୟ ଅବହେଳା ଯୋଗୁଁ ପେନ୍ସନ୍ ପ୍ରଦାନରେ ବିଳମ୍ବ ହୋଇଛି କି ନାହିଁ, ତାହାର ତଦାରଖ ସମ୍ପୃକ୍ତ ବିଭାଗର ସଚିବ କରିବେ। ଯଦି ଅବହେଳାର ସତ୍ୟତା ପ୍ରମାଣିତ ହୁଏ, ତେବେ ସଚିବଙ୍କ ଅନୁମୋଦନ କ୍ରମେ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ କିମ୍ବା ଗ୍ରାଚ୍ୟୁଇଟି ରାଶି ସହିତ ୭ ପ୍ରତିଶତ ସୁଧ ଅର୍ଥ ଜମା କରାଯିବ।
କାହା ପାଇଁ ଲାଗୁ ହେବ ନାହିଁ ଏହି ନିୟମ? ସରକାରଙ୍କ ଏହି ନୂଆ ନିୟମ ସମସ୍ତଙ୍କ ପାଇଁ ଲାଗୁ ହେବ ନାହିଁ।
-
ଯେଉଁ ଅବସରପ୍ରାପ୍ତ କର୍ମଚାରୀଙ୍କ ବିରୋଧରେ କୌଣସି ବିଭାଗୀୟ ତଦନ୍ତ କିମ୍ବା ଅଦାଲତରେ ମାମଲା ବିଚାରାଧୀନ ରହିଥିବ, ସେମାନଙ୍କ କ୍ଷେତ୍ରରେ ଏହି ସୁଧ ନିୟମ ଲାଗୁ ହେବ ନାହିଁ।
-
ଅବସର ପରେ ଜାରି ରହିଥିବା କିମ୍ବା ଅବସରର ୪ ବର୍ଷ ମଧ୍ୟରେ ଆରମ୍ଭ ହୋଇଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ପେନ୍ସନ୍ ଓ ଗ୍ରାଚ୍ୟୁଇଟିକୁ ଅଟକାଇ ରଖିବା କିମ୍ବା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାର ସମ୍ପୂର୍ଣ୍ଣ ଅଧିକାର ସରକାରଙ୍କ ନିକଟରେ ସୁରକ୍ଷିତ ରହିବ।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ନିୟମିତ ଓ ନିର୍ଦ୍ଦୋଷ ଅବସରପ୍ରାପ୍ତ କର୍ମଚାରୀମାନେ ନିଜର ପ୍ରାପ୍ୟ ସମୟସୀମା ମଧ୍ୟରେ ପାଇପାରିବେ ଏବଂ ପ୍ରଶାସନିକ ଅବହେଳାର ଶିକାର ହେବାରୁ ରକ୍ଷା ପାଇବେ।