ଭୁବନେଶ୍ୱର: ସରକାରୀ ଜମିର ସୁରକ୍ଷା ନେଇ ଏକ ରିଭିଜନ୍ ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ରାଜସ୍ୱ ପର୍ଷଦର ସଦସ୍ୟ ଶ୍ରୀ ସତ୍ୟବ୍ରତ ସାହୁ। ସରକାରୀ ଜମିକୁ ବ୍ୟକ୍ତିଗତ ନାମରେ ରେକର୍ଡ କରିବା ପାଇଁ ହୋଇଥିବା ଦାବିକୁ ଖାରଜ କରାଯାଇଥିବା ବେଳେ, ଜମିର ମୂଳ ଲିଜ୍, ମାଲିକାନା, ହସ୍ତାନ୍ତର ଓ ରେକର୍ଡ ସମ୍ପର୍କରେ ସ୍ୱତନ୍ତ୍ର ତଦନ୍ତ ପାଇଁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅଧୀନ ଓଗାଳପଡା ମୌଜାର। ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥ ସଂଲଗ୍ନ ପ୍ରାୟ ୪.୨୪ ଏକରରୁ ଅଧିକ ସରକାରୀ ଜମି, ଯାହାର ବର୍ତ୍ତମାନର ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି।
ରାଜସ୍ୱ ରେକର୍ଡରେ ଜମିଟି ସରକାରଙ୍କ ନାମରେ ଥିବା ସତ୍ତ୍ୱେ, ଏହାର ଲିଜ୍ ଓ ପରବର୍ତ୍ତୀ ହସ୍ତାନ୍ତରକୁ ନେଇ ଉଠିଛି ଅନେକ ପ୍ରଶ୍ନ। ମାମଲାର ତଥ୍ୟ ଅନୁସାରେ, ୧୯୬୮ ମସିହାରେ OGLS Act, ୧୯୬୨ ଅନୁଯାୟୀ ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ନାମରେ ଏହି ସରକାରୀ ଜମି ଲିଜ୍ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଜମିଟି ଅନ୍ୟ ବ୍ୟକ୍ତିଙ୍କ ହାତକୁ ବିକ୍ରୟ ହୋଇଥିବା ଦଲିଲରୁ ଜଣାପଡ଼ିଛି।
ତେବେ ପ୍ରଶ୍ନ ଉଠୁଛି—ଜଣେ ସରକାରୀ ଅଧିକାରୀ କେଉଁ ନିୟମ ଓ ଯୋଗ୍ୟତା ଆଧାରରେ ଏହି ଜମି ପାଇଥିଲେ? ଲିଜ୍ ପରେ ସରକାରୀ ଜମି କିପରି ବିକ୍ରୟ ହେଲା? ଏହି ସମସ୍ତ ପ୍ରଶ୍ନର ଉତ୍ତର ଏବେ ତଦନ୍ତରେ ଖୋଜାଯିବ।
ଆହୁରି ଚମକପ୍ରଦ ତଥ୍ୟ ହେଉଛି, ଏହି ଜମିର ମୂଳ ଲିଜ୍ ଫାଇଲ୍ ବର୍ତ୍ତମାନ ଜଟଣୀ ତହସିଲ କାର୍ଯ୍ୟାଳୟରେ ଉପଲବ୍ଧ ନାହିଁ। ତହସିଲଦାରଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। ଫଳରେ ଜମିର ମୂଳ ଉତ୍ସ ଓ ଲିଜ୍ ପ୍ରକ୍ରିୟାକୁ ନେଇ ସନ୍ଦେହ ଆହୁରି ବଢ଼ିଛି।
ସେହିପରି ପୁରୁଣା ରେକର୍ଡ, ନକ୍ସା ଓ କ୍ଷେତ୍ର ଯାଞ୍ଚ ରିପୋର୍ଟରେ ମଧ୍ୟ ଜମିର ପରିମାଣକୁ ନେଇ ଅସଙ୍ଗତି ଥିବା ଜଣାପଡ଼ିଛି। ପ୍ରକୃତରେ କେତେ ଜମି ଲିଜ୍ ଦିଆଯାଇଥିଲା, ପରେ କେତେ ଜମି ହାତବଦଳ ହୋଇଛି ଏବଂ ରେକର୍ଡ-ନକ୍ସାରେ ଫରକ କାହିଁକି ରହିଛି, ତାହାର ତଦନ୍ତ ହେବ।
ଅନ୍ୟପଟେ ଜଟଣୀ ତହସିଲଦାରଙ୍କ ରିପୋର୍ଟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଓଗାଳପଡା ମୌଜାର ୨୦ ଏକରରୁ ଅଧିକ ସରକାରୀ ଜମି ଲୋକଙ୍କ ଜବରଦଖଲରେ ଥିବା ରିପୋର୍ଟରେ ଦର୍ଶାଯାଇଛି।
ଏହି ପରିପ୍ରେକ୍ଷୀରେ ସରକାରୀ ଜମିର ସୁରକ୍ଷା, ଜବରଦଖଲ ଉଚ୍ଛେଦ ଓ ରେକର୍ଡ ସୁରକ୍ଷିତ ରଖିବା ପ୍ରସଙ୍ଗ ଏବେ ଗୁରୁତ୍ୱ ପାଇଛି।
ରାଜସ୍ୱ ପର୍ଷଦ ପରବର୍ତ୍ତୀ ସମୟରେ ଜମି କିଣିଥିବା ବ୍ୟକ୍ତିଙ୍କ ନାମରେ ଜମି ରେକର୍ଡ କରିବା ଦାବିକୁ ଗ୍ରହଣ କରିନାହାନ୍ତି। ବିବାଦୀୟ ଦଲିଲ କିମ୍ବା ମ୍ୟୁଟେସନ ଆଧାରରେ ବର୍ତ୍ତମାନର ସରକାରୀ ରେକର୍ଡରେ କୌଣସି ପରିବର୍ତ୍ତନ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ମୂଳ ଲିଜ୍ ଫାଇଲ୍, ରାଜସ୍ୱ ରେକର୍ଡ, ନକ୍ସା, ମ୍ୟୁଟେସନ୍ ରେକର୍ଡ, ବିକ୍ରୟ ଦଲିଲ ଓ କ୍ଷେତ୍ର ଯାଞ୍ଚ ସମ୍ପର୍କିତ ସମସ୍ତ କାଗଜପତ୍ର ସଂଗ୍ରହ କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସ୍ୱତନ୍ତ୍ର ତଦନ୍ତ ପାଇଁ ପଠାଇବାକୁ ନିର୍ଦ୍ଦେଶ ହୋଇଛି।
ତଦନ୍ତରେ ଲିଜ୍ କେଉଁ ନିୟମରେ ଦିଆଯାଇଥିଲା, ଲିଜ୍ଧାରୀଙ୍କ ଯୋଗ୍ୟତା କ’ଣ ଥିଲା, ମୂଳ ରେକର୍ଡ କାହିଁକି ମିଳୁନାହିଁ, ଜମିର ମାପ ଓ ନକ୍ସାରେ ଫରକ କାହିଁକି ରହିଛି, ଲିଜ୍ ପରେ ଜମି କିପରି ହାତବଦଳ ହେଲା ଏବଂ ଏହି ପ୍ରକ୍ରିୟାରେ ସରକାରଙ୍କ କୌଣସି କ୍ଷତି ହୋଇଛି କି ନାହିଁ—ସେସବୁର ଉତ୍ତର ଖୋଜାଯିବ।
ସରକାରୀ ଜମିର ସୁରକ୍ଷା, ଜବରଦଖଲ ମୁକ୍ତି ଓ ପୁନରୁଦ୍ଧାର ଦିଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ବେଳେ, ଓଗାଳପଡା ମାମଲାରେ ରାଜସ୍ୱ ପର୍ଷଦଙ୍କ ଏହି ରାୟ ସରକାରୀ ଜମି ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଚର୍ଚ୍ଚାକୁ ଆସିଛି।