ନୂଆଦିଲ୍ଲୀ, ୮ ଅକ୍ଟୋବର: ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ଏବଂ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆଦିଲ୍ଲୀରେ ଦୁଇଦିନିଆ ବିଭାଗୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅକ୍ଟୋବର ୮ ଓ ୯ ତାରିଖରେ ଏହି ସମ୍ମିଳନୀ ଆୟୋଜିତ ହେଉଛି।
ସମ୍ମିଳନୀରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ମୃଣାଳିନୀ ଦରସ୍ୱାଲ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ସହ ଜଡ଼ିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି।
ସମ୍ମିଳନୀରେ ଅଙ୍ଗନବାଡ଼ି କେନ୍ଦ୍ରର ସୁଦୃଢ଼ୀକରଣ, ଉନ୍ନତ ପୋଷଣ ଓ ପ୍ରାରମ୍ଭିକ ଶିଶୁ ଶିକ୍ଷା, ଶିଶୁ ସୁରକ୍ଷା, ମହିଳା ସୁରକ୍ଷା ଏବଂ ମହିଳା ସଶକ୍ତିକରଣ ଭଳି ପ୍ରମୁଖ ବିଷୟ ଉପରେ ଗୁରୁତ୍ୱ ଦିଆଯାଉଛି।
ଏଥିସହ ମହିଳା ଓ ଶିଶୁଙ୍କ ସୁରକ୍ଷା, ପୋଷଣ, ଶିକ୍ଷା ଓ ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶାର ଅଭିନବ ପଦକ୍ଷେପ, ସଫଳ ମଡେଲ ଓ ଶ୍ରେଷ୍ଠ ପ୍ରଥାଗୁଡ଼ିକୁ ଅନ୍ୟ ରାଜ୍ୟ ସହ ବାଣ୍ଟିବା ଉପରେ ମଧ୍ୟ ଆଲୋଚନା ହେଉଛି। ଅନ୍ୟ ରାଜ୍ୟର ସଫଳ ଅଭିଜ୍ଞତାରୁ ଶିଖି ନୀତି ନିର୍ଦ୍ଧାରଣ ଓ ଯୋଜନାର କାର୍ଯ୍ୟାନ୍ୱୟନକୁ ଅଧିକ ଫଳପ୍ରଦ କରିବା ଏହି ସମ୍ମିଳନୀର ଅନ୍ୟତମ ଲକ୍ଷ୍ୟ।
ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ନିରନ୍ତର ସହଯୋଗ ଓ ସମନ୍ୱୟ ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମତ ପ୍ରକାଶ କରିଛନ୍ତି। ନବସୃଜନ, ଅଭିଜ୍ଞତା ବିନିମୟ ଓ ସମନ୍ୱିତ ପ୍ରୟାସ ମାଧ୍ୟମରେ ଏହି କ୍ଷେତ୍ରରେ ଅଧିକ ଦୃଶ୍ୟମାନ ଓ ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।