କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: କୃଷକ, ଯୁବବର୍ଗ ଓ ସହରୀ ବିକାଶ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରିମଣ୍ଡଳ (କ୍ୟାବିନେଟ୍) ର ୪୮ତମ ବୈଠକରେ ୧୧ଟି ବିଭାଗର ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ରାଜ୍ୟର କୃଷକ, ଯୁବକ-ଯୁବତୀ, ମତ୍ସ୍ୟଜୀବୀ ଏବଂ ସହରାଞ୍ଚଳର ବିକାଶ ପାଇଁ ସରକାର କେତେକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କ୍ୟାବିନେଟ୍‌ର ପ୍ରମୁଖ ନିଷ୍ପତ୍ତିଗୁଡ଼ିକ ସମ୍ପର୍କରେ ଅବଗତ କରାଇଛନ୍ତି:

  • କୃଷକଙ୍କ ପାଇଁ ୧୩୭୦ କୋଟିର କର୍ପସ୍ ପାଣ୍ଠି: କୃଷକମାନଙ୍କୁ ଉନ୍ନତମାନର ବିହନ ଓ ସାର ଠିକ୍ ସମୟରେ ଉପଲବ୍ଧ କରାଇବା ପାଇଁ ଆଗାମୀ ୪ ବର୍ଷ (୨୦୨୬-୨୭ ରୁ ୨୦୨୯-୩୦) ନିମନ୍ତେ ୧୩୭୦ କୋଟି ଟଙ୍କାର କର୍ପସ୍ ପାଣ୍ଠିକୁ ମଞ୍ଜୁରି ମିଳିଛି। ଏଥିରେ ମାର୍କଫେଡ୍ (ଓଏସସିଏମଏଫ) କୁ ୯୭୦ କୋଟି ଏବଂ ଓଡ଼ିଶା ରାଜ୍ୟ ବିହନ ନିଗମକୁ ୪୦୦ କୋଟି ଟଙ୍କାର ରିଭଲଭିଂ କର୍ପସ୍ ପାଣ୍ଠି ପ୍ରଦାନ କରାଯିବ।

  • ଯୁବବର୍ଗଙ୍କ ପାଇଁ ନୂତନ ‘ଦକ୍ଷତା ବିକାଶ ଯୋଜନା’: ରାଜ୍ୟର ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ୪୫୦ କୋଟି ଟଙ୍କା ବ୍ୟୟରେ ଏହି ଯୋଜନାକୁ ଅନୁମୋଦନ ମିଳିଛି। ଏହାମାଧ୍ୟମରେ କୃତ୍ରିମ ବୁଦ୍ଧିମତା (AI), କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ଓ ସାଇବର ସୁରକ୍ଷା ଭଳି ଅତ୍ୟାଧୁନିକ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବା ସହ ଜର୍ମାନ ଓ ଜାପାନୀ ଭଳି ବିଦେଶୀ ଭାଷା ଶିକ୍ଷା ଓ ବିଦେଶରେ ନିଯୁକ୍ତି ପାଇଁ ସହାୟତା ମିଳିବ।

  • ସହରାଞ୍ଚଳ ବର୍ଷା ଜଳ ନିଷ୍କାସନ: ସହରଗୁଡ଼ିକରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦରେ ଏକ ନୂତନ କାର୍ଯ୍ୟକ୍ରମକୁ ଅନୁମୋଦନ କରାଯାଇଛି।

  • କଟକ ମହାନଦୀ ରିଭର୍‌ ଫ୍ରଣ୍ଟର ସମନ୍ୱିତ ବିକାଶ: କଟକ ସହରରେ ମହାନଦୀ ଜଳତଟର ସମନ୍ୱିତ ବିକାଶ ତଥା ୫ ବର୍ଷର ପରିଚାଳନା ପାଇଁ ଇପିସି ଚୁକ୍ତିକୁ ମଞ୍ଜୁରି ଦିଆଯାଇଛି। ଏଥିରେ ପ୍ରୋମେନାଡ୍, ‘କଟକ ହାଟ’, ଆଙ୍କର ପାଭିଲିୟନ ଏବଂ ମୁକ୍ତାକାଶ ରଙ୍ଗମଞ୍ଚ ଆଦି ନିର୍ମାଣ ହେବ।

  • ଅସ୍ତରଙ୍ଗରେ ଆଧୁନିକ ମତ୍ସ୍ୟବନ୍ଦର: ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ (ନୂଆଗଡ଼) ଠାରେ ୧୯୩.୮୯ କୋଟି ଟଙ୍କା ବ୍ୟୟରେ ଆଧୁନିକ ମତ୍ସ୍ୟ ବନ୍ଦର ପର୍ଯ୍ୟାୟ-୨ର ନିର୍ମାଣ ପାଇଁ ଆର୍ଥିକ ବିଡ୍‌କୁ ଅନୁମୋଦନ ମିଳିଛି। ଆଇଆଇଟି ମାଡ୍ରାସର ବୈଷୟିକ ସହାୟତାରେ ଏହା ୨ ବର୍ଷରେ ଶେଷ ହେବ।

  • ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଣ ନିମନ୍ତେ ୧୮୪.୦୬ କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରି ଦିଆଯାଇଛି।

  • ଲାନ୍ଥ ନଦୀ ଜଳାଶୟ ପ୍ରକଳ୍ପ: ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍‌ ଅନ୍ତର୍ଗତ ତୁଷୁରା ନିକଟରେ ଲାନ୍ଥ ନଦୀ ଉପରେ ଜଳାଶୟ ପ୍ରକଳ୍ପ ନିର୍ମାଣ ପାଇଁ ୧୦୫.୬୨ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି।

  • କେନ୍ଦୁଝରରେ ଡିଜିଟାଲ୍ ତଥ୍ୟ କେନ୍ଦ୍ର: ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ଡିଜିଟାଲ୍ ସେବାଗୁଡ଼ିକର ନିରବଚ୍ଛିନ୍ନ ଉପଲବ୍ଧତା ପାଇଁ ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସରେ ୧୭୬.୮୩ କୋଟି ଟଙ୍କା ବ୍ୟୟରେ ଏକ ବିପର୍ଯ୍ୟୟ ପୁନରୁଦ୍ଧାର-ସହ-ତଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯିବ।

Sidha Sambad
Author: Sidha Sambad

Leave a Comment

और पढ़ें