ନୀଳଗିରି- ୪/୪(ସିଧାସମ୍ବାଦ);
ନୀଳଗିରି କ୍ଷୁଦ୍ରଜଳସେଚନ ବିଭାଗ ପରିଚାଳନାରେ ନୀଳଗିରି ଉପଖଣ୍ଡରେ ବିଭିନ୍ନ ନଦୀଉପରେ ଚେକଡେମ ନିର୍ମାଣ କରାଯାଇ ଚାଷୀଙ୍କୁ ଜଳସେଚନର ବ୍ୟବସ୍ଥା କରାଯାଇଥିବା ବେଳେ ଉକ୍ତ ଚେକଡେମ ଗୁଡ଼ିକର ମରାମତି ପାଇଁ କୋଟିକୋଟି ଟଙ୍କା ବ୍ୟୟବରାଦ ହୋଇଛି।କିଛିକିଛି ସ୍ଥାନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ମରାମତି କାର୍ଯ୍ୟ ଚାଲୁଅଛି | ତେବେ ଚେକଡେମ ମରାମତି ପାଇଁ ଆସିଥିବା ଅର୍ଥରେ କାମ ନିମ୍ନ ମାନର ହୋଇଥିବାର ଅଭିଯୋଗ ହୋଇଥିବା ବେଳେ ଅର୍ଥ ହରିଲୁଟର ଚିତ୍ର ସାମ୍ନାକୁ ଆସିଛି।ନୀଳଗିରି ବ୍ଳକ ମହିଷାପଟ୍ଟା ଓ ଅଯୋଧ୍ୟା ପଞ୍ଚାୟତ ମଧ୍ୟବର୍ତ୍ତୀ ସୀମା କୁଆନାଳି ଗ୍ରାମ ଦେଇ ବୋହିଯାଇଥିବା ଘାଘରା ନଈ ଉପରେ ଚେକଡେମ ମରାମତି ପାଇଁ ଆସିଥିବା ୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଅନୁଦାନ ରାଶିରେ ହୋଇଥିବା ମରାମତି କାମ ନିମ୍ନମାନର ଅଭିଯୋଗ ହେବା ସହିତ ଅର୍ଥ ହରିଲୁଟ ସ୍ପଷ୍ଟ ବାରିହେଉଛି। ସୂଚନା ଅନୁଯାୟୀ ଉକ୍ତ ଚେକଡେମ୍ ନିର୍ମାଣ ପାଇଁ ବ୍ୟବହୃତ ହୋଇଥିବା ବାଲି,ପଥର ଆଦି ବିଭିନ୍ନ ଉପାଦାନ ପୂର୍ବରୁ ନିର୍ମାଣ ହୋଇଥିବା ଚେକଡେମରୁ ଉଦ୍ଧାର କରାଯାଇ ପୁନର୍ବାର ଉକ୍ତ କାର୍ଯ୍ୟରେ ପୁନଃ ବ୍ୟବହାର କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଉକ୍ତ ନିର୍ମାଣକାର୍ଯ୍ୟରେ ବ୍ୟବହୃତ ହୋଇଥିବା ବାଲି ସେହି ଘାଘରା ନଦୀର ଗଛିତ ବାଲିକୁ ଉତ୍ତୋଳନ କରାଯାଇ ବ୍ୟବହାର କରାଯାଇଛି।ପୁରୁଣା ଚେକଡେମ ୱାଲ ଉପରେ ନିମ୍ନମାନର ସିମେଣ୍ଟ ଓ ବାଲିର ପ୍ରଲେପ ଦିଆଯାଇ ନୂତନକାର୍ଯ୍ୟର ଭ୍ରମଧାରଣା ସୃଷ୍ଟି କରାଯାଇଛି। ଉକ୍ତ ମରାମତି କାର୍ଯ୍ୟରେ କୌଣସି ଫଳକ କରାଯାଇନଥିବା ଦେଖିବାକୁ ମିଳିଥିବା ବେଳେ ପ୍ରାୟଏକଲକ୍ଷରୁ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାର ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ବ୍ୟୟବରାଦ ହୋଇଥିବାର ଅନୁମାନ କରାଯାଇଥିବା ବେଳେ ଅବଶିଷ୍ଟ ବୃହତ ଅର୍ଥକୁ ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଆତ୍ମସାତ କରିଥିବାନେଇ ଗୁରୁତ୍ତର ଅଭିଯୋଗ ହୋଇଛି। ଏଭଳି ଘଟଣାର ଭିଜିଲାନ୍ସ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।




