ନୀଳଗିରି -୯/୪(ସିଧାସମ୍ବାଦ);
ଅଯୋଧ୍ୟା ସରସ୍ଵତୀ ବିଦ୍ୟାମନ୍ଦିରର ବାର୍ଷିକଉତ୍ସବ ୮ ତାରିଖ ମଙ୍ଗଳବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବାମନ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକାର୍ଯ୍ୟରେ ବିଶିଷ୍ଟ ସମାଜସେବୀ ତଥା ଅର୍ଥବିଭାଗର ପ୍ରାକ୍ତନ ଡେପୁଟି ସେକ୍ରେଟାରୀ ଡ଼ଃ ଚନ୍ଦନ କୁମାର ଷଡ଼ଙ୍ଗୀ ମୁଖ୍ୟଅତିଥି, ଖନ୍ତାପଡା ଚେତନାସାହିତ୍ୟ ସଂସଦର ସମ୍ପାଦକ ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା, ସମ୍ମାନିତ ଅତିଥିଭାବେ ସ୍ଥାନୀୟ ଗ୍ରାମ୍ୟବ୍ୟାଙ୍କ ମ୍ୟାନେଜର ନିର୍ମଳ ମହାକୁଡ, ସିଆରସିସି ହେମନ୍ତ କୁମାର ମହାପାତ୍ର ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ବସନ୍ତ କୁମାର ଖୁଣ୍ଟିଆ ଯୋଗଦାନ କରିଥିଲେ। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ଜ୍ୟୋସ୍ନାରାଣି ପତି ବାର୍ଷିକ ବିବରଣୀ ପଠନ କରିଥିଲେ।”ଯା ବିଦ୍ୟା ସା ବିମୁକ୍ତୟେ”ବୈଦିକ ତତ୍ୱକୁ ଆଧାରକରି ସରସ୍ଵତୀ ଶିଶୁମନ୍ଦିରରେ ଏହାର ପ୍ରୟୋଗ କିପରି କରାଯାଇଥାଏ ଓ ଏଥିପାଇଁ ଗୁରୁଜୀ, ଗୁରୁମା ଏବଂ ଅଭିଭାବକ ମାନଙ୍କର ଦାୟିତ୍ବ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ଗୁରୁଜୀ ତପନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ପରିଚାଳନା କମିଟିର ସଭ୍ୟବୃନ୍ଦ ତଥା ସ୍ଥାନୀୟ ସ୍ବେଚ୍ଛାସେବୀ ଯୁବକ ମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।



