ନୀଳଗିରି -୧୫/୪(ସିଧାସମ୍ବାଦ);
ଗୁଣିଗାରେଡ଼ି କରି ଗ୍ରାମରେ ଆତଙ୍କ ସୃଷ୍ଟି କରୁଥିବା ଜୈନିକ ବ୍ୟକ୍ତିଙ୍କୁ ସନ୍ଦେହକରି ନୀଳଗିରି ଉପଖଣ୍ଡ ପୋଲିସ ଅଧିକ୍ଷକଙ୍କ ନିକଟରେ ଗ୍ରାମବାସୀଙ୍କ ତରଫରୁ ସାମୁହିକ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତ ବେହେରାସାହି ଗ୍ରାମର ଧରମା ବେହେରା ନାମକ ଜଣେ କାଳୀସାଧକ ପ୍ରତି ମଙ୍ଗଳବାର ଓ ଶନିବାର ଘରେ ପୂଜାପାଠ କରିବାସହ ଗୁଣିଗାରେଡ଼ି କରୁଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଉକ୍ତ ଗ୍ରାମର ରଞ୍ଜନ ବେହେରାଙ୍କ ଝିଅ ଟୁନି(ଛଦ୍ମନାମ), ହରିଶ ବେହେରାଙ୍କ ପୁଅ ରତ୍ନାକର(ଛଦ୍ମନାମ) ଏବଂ ଗ୍ରାମର ଅନେକ ପରିବାରର ସଦସ୍ୟମାନେ ବିଭିନ୍ନ ସମୟରେ ଦାସୀ ହେବା, ପାଗଳଙ୍କ ଭଳି ପ୍ରଳାପକରିବା ଆଦି ବିଭିନ୍ନ ପାଗଳାମି କରିବା, ପିଟିକଚାଡି ହେବା ଭଳି ଘଟଣାକୁ ନେଇ ପରିବାର ଲୋକେ ମାନସିକ ଅଶାନ୍ତିରେ ରହୁଥିଲେ।ତେବେ ୧୫ଦିନ ତଳେ ରଞ୍ଜନ ବେହେରାଙ୍କ ଝିଅ ଟୁନି ୫ଦିନ ଧରି ଖାଇବାପିଇବା ଛାଡି ବାରମ୍ବାର ଦାସୀହୋଇ ଧରମା ପୂଜାଘରକୁ ଯାଇ ସମସ୍ତ ଘଟଣା ସର୍ବସମ୍ମୁଖରେ ପ୍ରକାଶ କରିବାପରେ ସନ୍ଦେହ ଘନୀଭୂତ ହୋଇଥିଲା।ଏନେଇ ଗତ ମାର୍ଚ୍ଚ ୩୦ତାରିଖରେ ଏକ ବୈଠକ ବସି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଧରମାକୁ ବୈଠକକୁ ଡକାଯାଇଥିଲେ ହେଁ ଘଟଣାକୁ ଧରମା ଏଡାଇଯାଇଥିଲେ। ମାତ୍ର ତାଙ୍କ ଯୋଗୁଁ ଏଭଳି ଘଟଣା ଘଟୁଥିବା ଉପଲବ୍ଧି କରି ବରହମପୁର ଥାନାରେ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ବରହମପୁର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଆଜି ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକଙ୍କ ନିକଟରେ ଅଭିଯୋଗପତ୍ର ପ୍ରଦାନ କରିବା ସହିତ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।




