ପାଟଣାଗଡରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ ପୋଡି ଘଟଣା ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା ଏହା ପଛରେ ଥିବା ବ୍ୟକ୍ତିବିଶେଷଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ

👇समाचार सुनने के लिए यहां क्लिक करें

ଭୁବନେଶ୍ୱର
15 ଏପ୍ରିଲ 2025

ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ।

ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ରୁଗ୍‍ଣ ମାନସିକତାର ବ୍ୟକ୍ତି ହୋଇଥିବେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଏ ଘଟଣାରେ ଜଣେ ବ୍ୟକ୍ତି ଗିରଫ ମଧ୍ୟ ହୋଇ ସାରିଛନ୍ତି । ଯଦି ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଥାଏ, ତେବେ ଏହାର ମଧ୍ୟ ପର୍ଦ୍ଦାଫାସ୍ କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି ଓ ପୂଜ୍ୟପୂଜା ପାଇଁ ସମସ୍ତ ପଦକ୍ଷେପ ନେଇ ଆସୁଛନ୍ତି । ବିଜୁବାବୁଙ୍କ ପ୍ରତି ତାଙ୍କର ବ୍ୟକ୍ତିଗତ ଭାବେ ଗଭୀର ସମ୍ମାନ ରହି ଆସିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିକଟରେ ମାର୍ଚ୍ଚ 5 ତାରିଖରେ ବିଜୁବାବୁଙ୍କ ଜୟନ୍ତୀକୁ ରାଜ୍ୟ ସ୍ତରରେ ବିପୁଳ ଉତ୍ସାହର ସହ ପାଳନ କରାଯାଇଥିଲା । ସେଥିରେ ସେ ନିଜେ ଯୋଗ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ଏପ୍ରଲ 17 ତାରିଖରେ ପାଳନ କରାଯିବ ।

Sidha Sambad
Author: Sidha Sambad

Leave a Comment

और पढ़ें