ନୀଳଗିରି – ୨୬/୪(ସସିଧାସମ୍ବାଦ); ବାଲେଶ୍ୱର ଜିଲ୍ଲା ନୀଳଗିରି
ଉପଖଣ୍ଡଟି ଏକ ପାହାଡିଆ ଅଞ୍ଚଳ। ସ୍ୱର୍ଣଚୁଡ ପାହାଡ଼ ପାଦଦେଶରେ ଅବସ୍ଥିତ ନୀଳଗିରି ସହରଟି ଦୀର୍ଘବର୍ଷ ପୂର୍ବରୁ ଏନଏସିର ମାନ୍ୟତା ପାଇଥିବା ବେଳେ ଏଠାରେ ପାନୀୟଜଳ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି।
ଏନେଇ ପ୍ରତିବର୍ଷ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ।ଫଳରେ ଗ୍ରୀଷ୍ମଋତୁରେ ଅଧିକ ପାନୀୟଜଳ ସମସ୍ୟା ଦେଖାଯାଇଛି। ଚଳିତବର୍ଷ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଫଳରେ ଏନଏସି ଅନ୍ତର୍ଗତ ୧ନଂ ୱାର୍ଡ କଦମ୍ବସାହି,୨ନଂ ୱାର୍ଡ ଘାଟଘର ସାହି, ଏବଂ ୬ନଂୱାର୍ଡ ଭାବେ ମୁଖ୍ୟତଃ ବଜାରରେ ପାନୀୟଜଳର ସମସ୍ୟା ଉତ୍କଟ ହେବାରେ ଲାଗି ଛି।ଏନେଇ ଜନସ୍ବାସ୍ଥ୍ୟ ବିଭାଗ ଠାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଯନ୍ତ୍ରୀ ରତନ ମାଝୀଙ୍କ ସାକ୍ଷାତ ମିଳିନଥିଲା।ତେବେ ତିନିବର୍ଷ ଧରି ଏହି ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀ ମହୋଦୟ ଅଧିକାଂଶ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତକୁ ନେଇ ପାନୀୟଜଳ ସମସ୍ୟା ଲାଗିରହିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି ।ଏନେଇ ଯନ୍ତ୍ରୀଙ୍କ ମତାମତ ଲୋଡ଼ିବାରୁ ସେ ବାଲେଶ୍ୱରରେ ଦାୟିତ୍ୱରେ ଥିବା ଦର୍ଶାଇ ଖସିଯିବାକୁ ଚେଷ୍ଟା କରିଛନ୍ତି। ତେବେ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ଅନ୍ତର କରି ଅନ୍ୟଜଣେ ଯନ୍ତ୍ରୀଙ୍କୁ ନିଯୁକ୍ତି କରିବାକୁ ସହରାଞ୍ଚଳ ବାସୀ ଦାବୀ କରିଛନ୍ତି।





