ନୀଳଗିରି -୧୪/୫(ସିଧାସମ୍ବାଦ);
ନୀଳଗିରି ଉପଖଣ୍ଡ ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ୫ଗୋଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ସଜନାଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତନ୍ମଧ୍ୟରୁ ଅନ୍ୟତମ । ଅନ୍ୟ ୪ଗୋଟି କେନ୍ଦ୍ର ଅପେକ୍ଷା ସଜନାଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସଂଖ୍ୟା ଅପେକ୍ଷାକୃତ ଅଧିକ। ଦୈନନ୍ଦିନ ପାଖାପାଖି ଶହେରୁ ଉର୍ଦ୍ଧ୍ବ ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ମାତ୍ର ବର୍ଷର ଅନ୍ୟଦିନ ଅପେକ୍ଷା ଗ୍ରୀଷ୍ମଋତୁରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀସେବା ପାଇଁ ଆସୁଥିବା ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ଗରମରେ ରୋଗୀମାନେ ବାହାରେ ଛିଡା ହୋଇପାରୁନଥିବା ବେଳେ ଭିତର ବୈଠକରେ ପ୍ରବଳ ଗୁଳୁଗୁଳି ଯୋଗୁଁ ସେମାନେ ବିଶ୍ରାମନେବା ପାଇଁ ସେଭଳି ବ୍ୟବସ୍ଥା ନାହିଁ। ଫଳରେ ଅଧିକାଂଶ ବୟସ୍କରୋଗୀ ଗରମରେ ଚେତା ହରାଇବା ଭଳି ଖବରଆସିଛି।ଏପରିକି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ, ଚିକିତ୍ସା ଅଧିକାରୀ କିମ୍ବା କର୍ମଚାରୀଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି)ର ବ୍ୟବସ୍ଥା ନଥିବାରୁ ପ୍ରବଳ ଗରମରେ ସେବା ଯୋଗାଉଥିବା ଦେଖିବାକୁ ମିଳିଛି। ବରହମପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଅନ୍ୟ ୪ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଲାଗିଥିବା ବେଳେ ସଜନାଗଡ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଏଭଳି ଅବହେଳା ପାଇଁ କିଏ ଦାୟୀବୋଲି ଅଭିଯୋଗ ଉଠିଛି। ସର୍ବୋପରି ଅନ୍ୟ ସମସ୍ତ ସେଣ୍ଟରରେ ରୋଗୀକଲ୍ୟାଣ ସମିତି ଦ୍ବାରା ସମସ୍ତ ଉନ୍ନୟନକାର୍ଯ୍ୟ କରାଯାଇଥିବା ବେଳେ ଏଠାରେ ରୋଗୀକଲ୍ୟାଣ ଯୋଜନାରେ ସେପରି କୌଣସି ଉନ୍ନତି ହୋଇଥିବା ପରିଲକ୍ଷିତ ହୋଇନାହିଁ। ସବୁଠାରୁ ଗୁରୁତର ଅଭିଯୋଗ ହୋଇଛି ଉକ୍ତକେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବି. ସୁବ୍ରମଣ୍ୟମଙ୍କ ଅପାରଗତା ଏବଂ ଜିଲ୍ଲାପରିଷଦର ବୈମାତୃକ ମନୋଭାବ ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ଆଖିଦୃଶିଆ ଉନ୍ନତି ହୋଇପାରିନଥିବା ସାଧାରଣରେ ଅସନ୍ତୋଷ ସହ ଅଭିଯୋଗ ଉଠିଛି। ତେଣୁ ବାଲେଶ୍ୱର ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଗ୍ରୀଷ୍ମପ୍ରବାହକୁ ଆଖିଆଗରେ ରଖି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି) ଲଗାଇବା ସହିତ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଯତ୍ନବାନ ହେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।





