ହଷ୍ଟେଲ୍ ଶୌଚାଳୟରେ ନର୍ସଙ୍କ ଆତ୍ମହତ୍ୟା |
ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ |
ନୀଳଗିରି, ୩୧/୫(ସିଧାସମ୍ବାଦ): ଯୋବ୍ରା ରହେମାନ୍ ଛକ ନିକଟରେ ଥିବା ଏକ ଘରୋଇ ହସପିଟାଲ୍ର ଜଣେ ନର୍ସ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହେଉ ନ ଥିବାରୁ ଏହାକୁ ନେଇ ରହସ୍ୟ ସୃଷ୍ଟି ହୋଇଛି।ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି | ସୂଚନା ଅନୁଯାୟୀ, କଲେଜ ଛକରେ ଥିବା ଏକ ଘରୋଇ ନସିଂହୋମ୍ରେ ଗତ ଦେଢ଼ମାସ ହେବ ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ନରହରିପୁର ଗ୍ରାମର କଳ୍ପନା ଦାସ (୨୫) ନର୍ସ ଭାବେ ଚାକିରି କରୁଥିଲେ। ଅର୍ଜୁନ ଦାସଙ୍କ ଝିଅ କଳ୍ପନା ବିବାହ କରି ନଥିବା ବେଳେ ସେ ଏକ ଲେଡିଜ୍ ହଷ୍ଟେଲ୍ରେ ରହୁଥିଲେ | କଳ୍ପନା ଯେଉଁ ରୁମ୍ରେ ରହୁଥିଲେ ସେଠାରେ ଆହୁରି ୩ଜଣ ନର୍ସ ବି ରହୁଥିଲେ | ଶୁକ୍ରବାର ଦିନ ପ୍ରାୟ ୧୧ଟା ୪୦ ବେଳେ କଳ୍ପନା ଗାଧୋଇବାକୁ ବାଥରୁମ୍କୁ ଯାଇଥିଲେ। କବାଟ ଖୋଲିବା ବିଳମ୍ବ ହେବାରୁ ବାନ୍ଧବୀମାନେ କବାଟ ବାଡ଼େଇଥିଲେ । କିନ୍ତୁ ଭିତରୁ କଳ୍ପନା କୌଣସି
ଉତ୍ତର ନ ଦେବାରୁ ସମସ୍ତେ ମିଳିମିଶି କବାଟ ଭାଙ୍ଗିବା ପରେ କଲ୍ପନା ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ତୁରନ୍ତ ମାଲଗୋଦାମ ଥାନା ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭକରିଥିବା ବେଳେ କଳ୍ପନାଙ୍କ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଅନ୍ୟପଟେ ଗତ ୨୭ ତାରିଖରେ କଳ୍ପନା ଜନ୍ମଦିନ ପାଳିଥିଲେ । ଆଜି ସେ ସମସ୍ତ ବାନ୍ଧବୀଙ୍କୁ ଭୋଳି ଖାଇବାକୁ ଦେଇଥାନ୍ତେ । ସକାଳେ ସେ ଚିକେନ୍ ରୋଷେଇ କରିବାକୁ କହିଥିଲେ। ସମସ୍ତେ ମିଶି ମଧ୍ୟାହ୍ନ ଭୋଜନ କରିଥାନ୍ତେ | କିନ୍ତୁ ଏହା ପୂର୍ବରୁ ଏଭଳି ଅଘଟଣ ଘଟିଛି। ଉକ୍ତ ହସପିଟାଲ୍ରେ ଯୋଗ ଦେବାର ମାତ୍ର ଦେଢ଼ମାସ ଭିତରେ ଏମିତି କି ପ୍ରକାର ପରିସ୍ଥିତି ସୃଷ୍ଟି ହେଲା ଯେ କଳ୍ପନା ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ, ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।ଅନ୍ୟ ପଟେ ପରିବାର ଲୋକ ପହଞ୍ଚି ତାଙ୍କ ଝିଅ କୁ ମାରିଦିଆଯାଇଛି ବୋଲି ଲିଖିତ ଅଭିଯୋଗ ଥାନାରେ କରାଯାଇଛି | ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଆଜି ଅପରାହ୍ନ ରେ ନରହରିପୁର ଗ୍ରାମକୁ କଳ୍ପନା ଙ୍କ ମୃତ ଦେହ ଆସିବା ପରେ ଗ୍ରାମରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି |




