ଧାରୁଆ କଟୁରୀ ରେ ଭାଉଜଙ୍କୁ ମରଣାନ୍ତକ ଆକ୍ରମଣକଲା ସମ୍ପର୍କୀୟ ଦିଅର |
ନୀଳଗିରି -୪/୬(ସିଧାସମ୍ବାଦ);
ସୁଦଶାବ୍ରତ ପାଇଁ ଫୁଲ,ବେଲପତ୍ର ଆଣିବାକୁ ଯାଇଥିବା ବେଳେ ଜଣେ ମହିଳା ସମେତ ଦିଅରଙ୍କୁ ପାଖପଡୋଶୀ ଯୁବକଜଣକ ଆକ୍ରୋଶ ମୂଳକଭାବେ ଆକ୍ରମଣ କରିଥିବା ବେଳେ ଉଭୟ ଦିଅର ଭାଉଜ ଗୁରୁତର ଆହତହୋଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ସୂଚନା ଅନୁଯାୟୀ ନୀଳଗିରି ଏନଏସି ୨ନଂ ୱାର୍ଡ ଘାଟଘରସାହି ଗ୍ରାମର ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ବାଗଙ୍କ ପତ୍ନୀ ବିଷ୍ଣୁପ୍ରିୟା ବାଗ(୫୩) ସୁଦଶାବ୍ରତ ଉପଲକ୍ଷେ ନିଜ ଝିଆରୀ ମନିଷାଙ୍କ ସହିତ ଫୁଲ, ଦୁବ, ବେଲପତ୍ର ସଂଗ୍ରହକରି ଘରକୁ ଫେରୁଥିବା ସମୟରେ ପାଖ ସମ୍ପର୍କୀୟ ଦିଅର ସୁବ୍ରତ ବାଗ ଓରଫ ପାପା ହଠାତ୍ ବିଷ୍ଣୁପ୍ରିୟାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବାସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ମହିଳା ଜଣକ ପ୍ରତିବାଦ କରିବାରୁ ସୁବ୍ରତ ଉତକ୍ଷିପ୍ତ ହୋଇ ହଠାତ ନିଜଘରୁ ଏକ ଧାରୁଆ କଟୁରୀରେ ମହିଳାଙ୍କ ବେକକୁ ଲକ୍ଷ୍ୟକରି ହାଣିବା ସମୟରେ ମହିଳା ଜଣକ ବୁଲିପଡ଼ିବାରୁ ଧାରୁଆ କଟୁରୀ ଟି ତାଙ୍କ ମୁଣ୍ଡରେ ବାଜିଥିଲା। ଏଥିସହ ସେହି କଟୁରିରେ ମହିଳାଙ୍କ ଗୋଡ଼ ଓ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ।ଫଳରେ ଉଭୟ ମହିଳା ଓ ଝିଆରୀ ଭୟଭୀତ ହୋଇ ପାଟି କରିବାରୁ ମହିଳାଙ୍କ ଦିଅର ରମେଶ ବାଗ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରିବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ସୁବ୍ରତ ରମେଶକୁ ଉକ୍ତ କଟୁରୀରେ ପାଲଟା ଆକ୍ରମଣ କରିଥିଲେ। ଫଳରେ ରମେଶଙ୍କର ବାମ ହାତରେ ଗଭୀରଆଘାତ ହୋଇଥିଲା। ପାଟିତୁଣ୍ଡ ଶୁଣି ସ୍ଥାନୀୟବାସିନ୍ଦା ପହଞ୍ଚିଯିବାରୁ ସୁବ୍ରତ ଘରକୁ ଫେରିଯାଇଥିବା ସମୟରେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ଉଭୟ ଦିଅର ଓ ଭାଉଜଙ୍କୁ ନୀଳଗିରି ମେଡିକାଲକୁ ଆଣି ଚିକିତ୍ସା କରାଯାଉଥିବା ସୂଚନା ରହିଥିବା ବେଳେ ମହିଳା ଜଣକ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।




