ଯିଏ ରେଳ ଷ୍ଟେସନରେ ଲତା ମଙ୍ଗେସକରଙ୍କ ସୁପରହିଟ୍ ଗୀତ ‘ଏକ ପ୍ୟାର କା ନଗମା ହେ’ ଗାଇ ରାତାରାତି ଭାଇରାଲ ହୋଇଯାଇଥିଲେ । ଯାହାଙ୍କୁ ହିମେଶ ରେଶମିଆ ଗୀତ ଗାଇବାର ସୁଯୋଗ ମଧ୍ୟ ଦେଇଥିଲେ । ସେହି ରାନୁ ମଣ୍ଡଳଙ୍କ ଜୀବନ ଅତି ଶୋଚନୀୟ ହୋଇପଡ଼ିଛି । ଲାଇମଲାଇଟ୍ ଏବଂ କ୍ୟାମେରା ଦୁନିଆରୁ ଉଭାନ ହୋଇଯାଇଥିବା ରାନୁଙ୍କ କାହାଣୀ ଏବେ ପୁଣି ଚର୍ଚ୍ଚାକୁ ଆସିଛି । ଆଜି ରାନୁ ମଣ୍ଡଳ କେଉଁଠି ଅଛନ୍ତି ଏବଂ କେମିତି ଅଚନ୍ତି ତାକୁ ନେଇ ସବୁଆଡେ ଚର୍ଚ୍ଚା ।
ନିକଟରେ ୟୁଟ୍ୟୁବର ନିଶୁ ତିୱାରୀ ତାଙ୍କ YouTube ଚ୍ୟାନେଲରେ ରାତାରାତି ସୋସିଆଲ ସେନସେସନ୍ ପାଲଟିଥିବା ଷ୍ଟାରମାନଙ୍କର ଏକ ଝଲକ ସେୟାର କରିଥିଲେ । ଯେଉଁଥିରେ ସେ ରାନୁ ମଣ୍ଡଳଙ୍କ କାହାଣୀ ଲୋକ ଲୋଚନକୁ ପୁଣି ଥରେ ଆଣିଛନ୍ତି । ଯାହାକୁ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କୋଲକାତାର ରାଣାଘାଟରେ ରହୁଛନ୍ତି ରାନୁ ମଣ୍ଡଳ । ସେ ଯେଉଁ ଘରେ ରହୁଛନ୍ତି ସେଠି ସାଧାରଣ ମଣିଷଟିଏ ରହିବା କଷ୍ଟକର । କାରଣ ଚାରିପାଖ ଅଳିଆ ଆବର୍ଜନାରେ ଭର୍ତ୍ତି, ମାଛି ଭଣଭଣ ହେଉଥିବା ଦେଖିବାକୁ ମିଳୁଛି । ଖାଲି ଏତିକି ନୁହେଁ ଯେତେବେଳେ ନିଶୁ ରାନୁ ମଣ୍ଡଳଙ୍କ ପାଇଁ କିଛି ଖାଦ୍ୟ ଦେଲେ ସେ ବହୁତ ଖୁସି ହୋଇଥିଲେ । ସତରେ ଭାଗ୍ୟ କେତେବେଳେ କେଉଁ ମୋଡ଼ ନେବ ତାହା ଜାଣିବା ଅସମ୍ଭବ । କର୍ମଫଳ ଓ ଭଗବାନଙ୍କ ଆଶୀର୍ବାଦରେ ରଙ୍କ କେବେ ରାଜା ହୋଇଯାଏ ତ ପୁଣି କେବେ ଭାଗ୍ୟର ବିଡ଼ମ୍ବନା ପାଇଁ ରଙ୍କ ହୋଇଯାଏ । ଠିକ୍ ଯେମିତି ରାନୁ ମଣ୍ଡଳଙ୍କ କାହାଣୀ ପରି । ଦିନେ ରାତାରାତି ସେଲିବ୍ରିଟି ବନିଯାଇଥିଲେ ଆଜି ଜୀବନ ଜିଇଁବାକୁ କରୁଛନ୍ତି ସଂଘର୍ଷ ।




