ଗତକାଲି କଳିଙ୍ଗ ଷ୍ଟୁଡିଓ ଛକ ଘଟଣା ମନରୁ ନ ଯାଉଣୁ ଆଜି ପୁଣି ଏକ ‘ଆମ ବସ୍’ (Mo Bus) ପୋଡ଼ି ପାଉଁଶ। ଭୁବନେଶ୍ୱରର ପଟିଆ ସ୍ଥିତ ଇଲେକ୍ଟ୍ରିକ୍ ବସ୍ ଡିପୋରେ ଚାର୍ଜିଂ ସମୟରେ ଏକ ବସ୍ରେ ନିଆଁ ଲାଗିଯାଇଛି।
ରାଜଧାନୀରେ ‘ଆମ ବସ୍’ ସେବା ଏବେ ବିପଦପୂର୍ଣ୍ଣ ହେବାରେ ଲାଗିଛି କି? ଗତକାଲି କଳିଙ୍ଗ ଷ୍ଟୁଡିଓ ଛକରେ ବସ୍ ଜଳିଯାଇଥିବା ବେଳେ, ଆଜି ପୁଣିଥରେ ସମାନ ଘଟଣାର ପୁନରାବୃତ୍ତି ଘଟିଛି। ଏଥର ଘଟଣାସ୍ଥଳ ହେଉଛି ପଟିଆ ବସ୍ ଡିପୋ।
ଦେଖନ୍ତୁ ଏହି ଦୃଶ୍ୟ। ପଟିଆ ସ୍ଥିତ ଗାଡ଼କଣ ଇଲେକ୍ଟ୍ରିକ୍ ବସ୍ ଡିପୋ (Gadakana Depot) ରେ ଛିଡ଼ା ହୋଇଥିବା ଏକ ‘ଆମ ବସ୍’ରେ ହଠାତ୍ ନିଆଁ ଲାଗିଯାଇଥିଲା। ସୂଚନା ମୁତାବକ, ବସ୍ଟି ଡିପୋରେ ଚାର୍ଜିଂ ହେଉଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି।
ଗତକାଲି (ଶନିବାର) ଯାତ୍ରୀ ଥିବା ଅବସ୍ଥାରେ ଏକ ବସ୍ ଜଳିଯାଇଥିଲା, ଆଉ ଆଜି ଡିପୋ ଭିତରେ ଚାର୍ଜିଂ ବେଳେ ଆଉ ଏକ ବସ୍ ଜଳିବା, ଇଲେକ୍ଟ୍ରିକ୍ ବସ୍ର ସୁରକ୍ଷା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ବାରମ୍ବାର ଘଟୁଥିବା ଏହି ଅଘଟଣ ପାଇଁ ଦାୟୀ କିଏ? କ୍ରୁଟ୍ (CRUT) କର୍ତ୍ତୃପକ୍ଷ ଏନେଇ କି ପଦକ୍ଷେପ ନେବେ, ତାହା ଦେଖିବାକୁ ବାକି ରହିଲା।




