“ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଜି ମୋଟ୍ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟ ଏବଂ ଜନକଲ୍ୟାଣକାରୀ ଯୋଜନା ଉପରେ କ୍ୟାବିନେଟ୍ ମୋହର ମାରିଛି। ବିଶେଷ କରି କୃଷି, ଶିକ୍ଷା, ଏବଂ ପାନୀୟ ଜଳ ଯୋଗାଣ ଭଳି କ୍ଷେତ୍ର ଉପରେ ସରକାର ଫୋକସ୍ କରିଥିବା ସୂଚନା ମିଳିଛି। ବୈଠକ ପରେ ଗୃହରେ ପାରିତ ହୋଇଥିବା ପ୍ରସ୍ତାବ ଗୁଡିକ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି।”
କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ ସହ ସେମାନଙ୍କୁ ପଦୋନ୍ନତିର ସୁବିଧା ପ୍ରଦାନ ପାଇଁ ବିଜ୍ଞପ୍ତି ସଂ.୧୩୨୩ ତା. ୧୯.୦୨.୨୦୨୪ ରିଖରେ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଅଧୀନରେ ଏକ ନୂତନ ସେବା ବର୍ଗ ଯଥା: “ଓଡିଶା ସଂସ୍କୃତି ଉନ୍ନୟନ ସେବା ବର୍ଗ” ଗଠନ କରାଯାଇଥିଲା। ଏହି ନିୟମାବଳୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଅର୍ଥ ବିଭାଗ, ଆଇନ ବିଭାଗଙ୍କ ଅନୁମୋଦନ ଲାଭ କରିବା ପରେ ଓଡିଶା ଲୋକ ସେବା ଆୟୋଗଙ୍କ ଦ୍ଵାରା ସ୍ଵୀକୃତ ହୋଇଛି। ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅନୁମୋଦନ ପ୍ରାପ୍ତ ହୋଇଛିI ସାଂପ୍ରତିକ ସମୟରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିକାଶ ଏବଂ ଏହି ପରିପ୍ରେକ୍ଷୀରେ ହେଉଥିବା ବିଭିନ୍ନ ବିକାଶ ତଥା ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଏହାର ସଫଳ ରୂପାୟନ କରିବା ନିମନ୍ତେ ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡିଶା ସଂସ୍କୃତି ସେବା ନିୟମ,୨୦୦୬ ଅଧୀନରେ ଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ ସହ ସେମାନଙ୍କୁ ପଦୋନ୍ନତିର ସୁବିଧା ପ୍ରଦାନର ଆବଶ୍ୟକତା ରହିଛି। ଉକ୍ତ ପ୍ରସ୍ତାବକୁ ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳଙ୍କ ଅନୁମୋଦନ ମିଳିଛି ।




