ଖଣ୍ଡପଡା, ୧୫|୨ (ସିଧା ସମ୍ବାଦ) ପବିତ୍ର ମହାଶିବ ରାତ୍ରୀ ଯୋଗୁଁ ଖଣ୍ଡପଡା ସହରର ୫ ଟି ଶୈବପୀଠ ସମେତ ଆଖପାଖ ଅଞ୍ଚଳରେ ଅବସ୍ଥିତ ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା।ପ୍ରତ୍ୟୁଷରୁ ଶୈବପୀଠରେ ପୂଜାର୍ଚ୍ଚନା ନିମନ୍ତେ ଭକ୍ତଙ୍କ ଭିଡ ଲାଗି ରହିଥିବା ବେଳେ ସଂନ୍ଧ୍ଯା ସମୟରୁ ମନ୍ଦିର ପରିସରରେ ଦୀପ ପ୍ରଜ୍ବଳନ ନିମନ୍ତେ ଶହଶହ ମହିଳା ଓ ଯୁବତୀଙ୍କ ଭିଡ ଦେଖିବାକୁ ମିଳିଥିଲା। ଖଣ୍ଡପଡ଼ା ସହରର ଆରାଧ୍ଯ ପ୍ରଭୁ ଶ୍ରୀନୀଳକଣ୍ଠେଶ୍ବର ଦେବ,ଟିଙ୍କଚୁଆ ଗ୍ରାମ ନିକଟସ୍ଥ ପ୍ରଭୁ ଶ୍ରୀବନ୍ଧବିମଳେଶ୍ଵର ଦେବ, ଶ୍ରୀସୁବର୍ଣ୍ଣେଶ୍ଵର ଦେବ, ଶ୍ରୀବାଲୁଙ୍କେଶ୍ବର ଦେବ,ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର ପରିସରରେ ଶହଶହ ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଦୀପ ଜାଳିଥିଲେ।ଖଣ୍ଡପଡା ନିକଟସ୍ଥ ବାଘୁଆପଲ୍ଲୀ ଗ୍ରାମର ବାବା ଆଖଣ୍ଡଳମଣିଙ୍କ ପୀଠ,ଖଳିସାହି ଗ୍ରାମର ଶ୍ରୀନୀଳକଣ୍ଠେଶ୍ବର ଦେବ ବୋଦସା ଗ୍ରାମର ଶ୍ରୀବାଲୁଙ୍କେଶ୍ବର ଦେବଙ୍କ ପୀଠରେ ଜାଗର ଯାତ୍ରା ଅନୁଷ୍ଠିତ ହେଉଥିବା ଜଣାପଡିଛି।ସେହିପରି ପ୍ରମୁଖ ଶୈବ ପୀଠ ଗୁଡିକରେ ଏ ଅବସରରେ ସାଂସ୍କୃତିକ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା।ସମସ୍ତ ଶୈବପୀଠରେ ରାତି ପ୍ରାୟ ୧୧ ଟା ପରେ ମହାଦୀପ ଉଠିବ ବୋଲି ଜଣାପଡିଛି।




