ବାଲେଶ୍ୱର (୨୦ ଫେବୃଆରୀ, ୨୦୨୬): ଦୀର୍ଘ ଦିନର ତଦନ୍ତ ପରେ ଦୁର୍ନୀତି ମାମଲାରେ ଆଜି ବାଲେଶ୍ୱର ଭିଜିଲାନ୍ସ କୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ବାଲେଶ୍ୱର ରସାଳପୁର ସ୍ଥିତ ଅଚ୍ୟୁତାନନ୍ଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ ପୂର୍ବତନ ଭିଇସି (VEC) ସଭାପତିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି।
୨୦୧୧ ମସିହାରେ ସର୍ବଶିକ୍ଷା ଅଭିଯାନ (SSA) ଯୋଜନାରେ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ସରକାରୀ ପାଣ୍ଠି ଅନୁଦାନ ମିଳିଥିଲା। କିନ୍ତୁ ନିର୍ମାଣ କାର୍ଯ୍ୟ ନକରି ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ଦାସ ଏବଂ ଭିଇସି ସଭାପତି ଶ୍ରୀ ଗୋବିନ୍ଦ ବେହେରା ମିଳିତ ଭାବେ ଏହି ସରକାରୀ ଅର୍ଥକୁ ହଡ଼ପ କରିଥିଲେ। ଏନେଇ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଥିଲା।
ଆଜି ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି:
-
କାରାଦଣ୍ଡ: ଉଭୟଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ।
-
ଜରିମାନା: ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ଜରିମାନା ଅନାଦେୟ ହେଲେ ଅଧିକ କାରାଦଣ୍ଡ।
ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ଦାସ ବର୍ତ୍ତମାନ ଅବସର ନେଇସାରିଛନ୍ତି। ତେବେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ, ତାଙ୍କର ପେନସନ (ନିବୃତ୍ତି ବେତନ) ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରାଯିବ ବୋଲି ସୂଚନା ମିଳିଛି।




