ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକର ସିଂଘାପଡା ପଞ୍ଚାୟତ ଅଧୀନ ରୁପାପଲ୍ଲୀ ଗ୍ରାମରେ ବାବା କପିଳେଶ୍ୱର ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ପାରମ୍ପରିକ ପ୍ରଥାନୁଯାୟୀ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡିଛି।ଗ୍ରାମବାସୀଙ୍କ ଆର୍ଥିକ ସାହାଯ୍ଯ ଓ ସହଯୋଗରେ ନିର୍ମିତ ଭବ୍ଯ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅବସରରେ ଅଙ୍କୁରାରୋପଣ,କ୍ଷୀରାଭିଷେକ ଆଦି ମାଙ୍ଗଳିକ କାର୍ଯ୍ଯ ଶେଷ ହୋଇଥିବା ଜଣାପଡିଛି। ବ୍ରାହ୍ମଣ ସମାଜର ପୁରୋଧାମାନଙ୍କ ଦ୍ବାରା ହୋମଯଜ୍ଞ ଆଦି ମାଙ୍ଗଳିକ କାର୍ଯ୍ଯ ସମ୍ପନ୍ନ ସହ ଦେବନୀତି ଅନୁଯାୟୀ ସମସ୍ତ ନୀତିକାନ୍ତି କରାଯାଉଛି। ଏ ଅବସରରେ ଏକ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା।ଖଣ୍ଡପଡ଼ା ରାଜା ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜ ମନ୍ଦିର ପରିସରରେ ଉପସ୍ଥିତ ରହି ଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ। ଆଖପାଖ ଅଞ୍ଚଳରୁ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମରେ ମନ୍ଦିର ପରିସର ଉତ୍ସବମୁଖର ହୋଇ ଉଠିଥିବା ବେଳେ ସିଂଘାପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ପରମାନନ୍ଦ ସ୍ବାଇଁ, ପୂର୍ବତନ ସମିତି ସଭ୍ଯ ଆନନ୍ଦ ଚନ୍ଦ୍ର ସାହୁ, ସରପଞ୍ଚ ସୁନିଲ କୁମାର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିବା ଜଣାପଡିଛି। ଆସନ୍ତା ସୋମବାର ମନ୍ଦିରରେ ବିଗ୍ରହମାନଙ୍କ ସ୍ଥାପନ ସହ ଅପରାହ୍ନରେ ଯଜ୍ଞର ପୂର୍ଣ୍ଣାହୂତି ଉତ୍ସବ ସମ୍ପନ୍ନ ହେବ ବୋଲି ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡିଛି।




