ଜୟପୁର (ସିଧା ସମ୍ବାଦ): ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେଙ୍କ ଏକ ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିରେ ନୂଆ ବିତର୍କ ସୃଷ୍ଟି କରିଛି। ଏକ ସାଧାରଣ ସଭାରେ ସେ ନିଜକୁ ‘ଅସହାୟ’ ଦର୍ଶାଇ କହିଛନ୍ତି ଯେ, ସେ ସବୁକିଛି ହରାଇଛନ୍ତି ଏବଂ ନିଜକୁ ରକ୍ଷା କରିବାକୁ ମଧ୍ୟ ଅସମର୍ଥ। ରାଜେଙ୍କର ଏହି ଭାବୁକ ଭରା ବକ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।ବସୁନ୍ଧରାଙ୍କ ଏହି ମନ୍ତବ୍ୟକୁ ବିରୋଧୀ ଦଳମାନେ ସିଧାସଳଖ ମୁଖ୍ୟମନ୍ତ୍ରୀ ପଦ ନମିଳିବା ସହ ଯୋଡ଼ି କଟାକ୍ଷ କରିଛନ୍ତି। ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ମଦନ ରାଠୋରଙ୍କ ଏକ ମାରୱାଡି ଦୋହାରେ ‘ମୋଦୀ’ଙ୍କ ନାମ ଯୋଡ଼ି ହେବା ପରେ ବିବାଦ ଆହୁରି ଉଷ୍ମ ହୋଇଛି। ତେବେ ସୋସିଆଲ ମିଡିଆରେ ଏହି ବିବାଦ ବଢୁଥିବା ଦେଖି ବସୁନ୍ଧରା ରାଜେ ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି। ସେ ଏହାକୁ ତାଙ୍କ ବିରୋଧୀଙ୍କ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।ସେ ନିଜ ସ୍ପଷ୍ଟୀକରଣରେ କହିଛନ୍ତି ଯେ, “ମୋ ପାଇଁ ଲୋକଙ୍କ ଭଲପାଇବା ସବୁଠାରୁ ଉପରେ, କୌଣସି ପଦବୀ ଏହାଠାରୁ ବଡ଼ ନୁହେଁ।” ସେ ନିଜର ‘ଅସହାୟତା’କୁ ବୁଝାଇବାକୁ ଯାଇ ଧୋଲପୁରର ଏକ ଉଦାହରଣ ଦେଇଛନ୍ତି। ରାଜେ କହିଛନ୍ତି ଯେ, ଯେତେବେଳେ ତାଙ୍କ ଘର ସାମ୍ନାରେ ଜାତୀୟ ରାଜପଥ ଯାଉଥିଲା, ନିୟମ ଯୋଗୁଁ ସେ ନିଜ ଘରର କାନ୍ଥକୁ ମଧ୍ୟ ବଞ୍ଚାଇ ପାରିନଥିଲେ ଏବଂ ତାହାକୁ ପଛକୁ ଘୁଞ୍ଚାଇବାକୁ ପଡ଼ିଥିଲା। ସେ କହିଛନ୍ତି, “ନିୟମ ଆଗରେ ଯେତେବେଳେ ମୁଁ ନିଜ ଘରକୁ ରକ୍ଷା କରିପାରିଲି ନାହିଁ, ମୁଁ ଅନ୍ୟ କାହାର ଘରକୁ କିପରି ରକ୍ଷା କରିପାରିବି?”ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ବସୁନ୍ଧରାଙ୍କ ଏହି ମନ୍ତବ୍ୟ ପଛରେ ଅନେକ ଗୂଢ଼ ଅର୍ଥ ରହିଛି। ସେ ନିଜର ଶକ୍ତି ଏବଂ ସାଧାରଣ ଲୋକଙ୍କ ସହ ଥିବା ସମ୍ପର୍କକୁ ଦର୍ଶାଇବା ସହ ନିଜକୁ ଏକ ଅନୁଶାସିତ ନେତ୍ରୀ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି।



