ଜନସାଧାରଣଙ୍କୁ ସେବା ଯୋଗାଇବା ପାଇଁ ସରକାର ବଡ଼ ବଡ଼ ବାବୁମାନଙ୍କୁ ଚେୟାରରେ ବସାଇଛନ୍ତି, ହେଲେ ସେହି ଚେୟାରର ଗରମ ଏବେ ସୀମା ଟପିବାରେ ଲାଗିଛି। ସୂଚନା ଅଧିକାର ଆଇନ ବା RTI ବଳରେ ତଥ୍ୟ ମାଗିବାରୁ ଜଣେ ଯୁବତୀଙ୍କୁ ସରକାରୀ କାର୍ଯ୍ୟାଳୟ ଭିତରେ ନାଲି ଆଖି ଦେଖାଇବା ସହ ଦୁର୍ବ୍ୟବହାର କରାଯାଇଥିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟରେ।
ସାନଖେମୁଣ୍ଡି ତହସିଲଦାରଙ୍କ ଗିରଫଦାରୀ ଦାବି କରି ଏବେ ତହସିଲଦାରଙ୍କ ପ୍ରକୋଷ୍ଠ ନିକଟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ପ୍ରତିଭା ନାମକ ଜଣେ ଯୁବତୀ।
ସୂଚନା ଅନୁଯାୟୀ, କୌଣସି ଏକ ସରକାରୀ ବିଷୟରେ RTI ସୂତ୍ରରୁ ତଥ୍ୟ ମାଗିବା ପାଇଁ ପ୍ରତିଭା ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ତଥ୍ୟ ଦେବା ତ ଦୂରର କଥା, ଓଲଟା ତହସିଲଦାର ଜଣକ ନିଜ ପ୍ରକୋଷ୍ଠ ଭିତରେ ତାଙ୍କୁ ନାଲି ଆଖି ଦେଖାଇବା ସହ ଅଶାଳୀନ ବ୍ୟବହାର କରିଥିବା ଯୁବତୀ ଜଣକ ସିଧାସଳଖ ଅଭିଯୋଗ କରିଛନ୍ତି। ଜଣେ ମହିଳାଙ୍କୁ ସରକାରୀ ଅଫିସରେ ଏଭଳି ଅସଦାଚରଣ କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ନ୍ୟାୟ ପାଇଁ ପ୍ରତିଭା ଏବେ ସେହି କାର୍ଯ୍ୟାଳୟ ଭିତରେ, ତହସିଲଦାରଙ୍କ ଚେମ୍ବର ସାମ୍ନାରେ ଜିଦ୍ରେ ବସିଛନ୍ତି। ତାଙ୍କର ଗୋଟିଏ ଦାବି– “ଦୋଷୀ ତହସିଲଦାରଙ୍କୁ ତୁରନ୍ତ ଗିରଫ କରାଯାଉ।” ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଏବେ ପ୍ରଶ୍ନ ଉଠୁଛି, ଜନସାଧାରଣଙ୍କ ସୁରକ୍ଷା ଓ ଅଧିକାରର ସୁରକ୍ଷା ଦେବାକୁ ଥିବା ପ୍ରଶାସନିକ ଅଧିକାରୀ ଯଦି ନିଜେ ଏଭଳି ବ୍ୟବହାର କରିବେ, ତେବେ ସାଧାରଣ ଲୋକ ଜିବେ କୁଆଡ଼େ? ଏହି ଘଟଣାରେ ପୋଲିସ ଓ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।





