କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କ ବିବାଦୀୟ ମାମଲାରେ ଏବେ ଯୋଡ଼ି ହୋଇଛି ଏକ ନୂଆ ଏବଂ ସାଂଘାତିକ ଫର୍ଦ୍ଦ। ଗୋଟିଏ ପଟେ ସରପଞ୍ଚ ଜେଲ୍ରେ ଥିବା ବେଳେ, ଅନ୍ୟପଟେ ତାଙ୍କ ଉପରେ ହୋଇଥିବା ଅକଥନୀୟ ନିର୍ଯାତନାକୁ ବିରୋଧ କରି ରାଜ୍ୟ ମାନବାଧିକାର ଆୟୋଗ (OHRC) ଙ୍କ ନିକଟରେ ଏକ ସଙ୍ଗୀନ ମାମଲା ଦାଏର କରାଯାଇଛି।
ମାନବାଧିକାର ଆୟୋଗରେ ହୋଇଥିବା ଅଭିଯୋଗ ଅନୁସାରେ, ଜଣେ ମହିଳା ସରପଞ୍ଚଙ୍କୁ ମହାକାଳପଡ଼ା ବିଡିଓ, ଥାନା ଅଧିକାରୀ (IIC), ବ୍ଲକ କର୍ମଚାରୀ ଏବଂ ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ସଂଘବଦ୍ଧ ଭାବେ ଅତ୍ୟାଚାର କରିଛନ୍ତି। ତାଙ୍କ ସହ ଅଭଦ୍ର ବ୍ୟବହାର କରିବା, ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା କେସ୍ ଲଦିଦେବା ଏବଂ ବିନା ଦୋଷରେ ମାଡ଼ ମାରିବା ଭଳି ସାଂଘାତିକ ମାନବାଧିକାର ଉଲ୍ଲଂଘନ କରାଯାଇଥିବା ଏହି ଅଭିଯୋଗରେ ଦର୍ଶାଯାଇଛି।
-
ସିସିଟିଭି ଫୁଟେଜ୍ ସାର୍ବଜନୀନ ହେଉ: ବିଡିଓଙ୍କ ଚେମ୍ବରରେ ସେଦିନ ପ୍ରକୃତରେ କ’ଣ ଘଟିଥିଲା ଏବଂ କେଉଁ ପରିସ୍ଥିତିରେ ହଙ୍ଗାମା ହେଲା, ତାର ସତ୍ୟାସତ୍ୟ ଜାଣିବା ପାଇଁ ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ୍କୁ ସର୍ବସାଧାରଣରେ ପ୍ରକାଶ କରାଯାଉ।
-
ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟଗ୍ରହଣ: ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଦୁଇ ଜଣ ସରପଞ୍ଚଙ୍କୁ ତଦନ୍ତ ପରିସରଭୁକ୍ତ କରି ସେମାନଙ୍କର ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଯାଉ।
-
୭ ଦିନରେ ସ୍ୱତନ୍ତ୍ର ନ୍ୟାୟିକ ତଦନ୍ତ: ମାତ୍ର ୭ ଦିନ ମଧ୍ୟରେ ମାନ୍ୟବର ଆୟୋଗ ଏକ ସ୍ୱତନ୍ତ୍ର ନ୍ୟାୟିକ ତଦନ୍ତ ଟିମ୍ ଗଠନ କରି ଏହି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ଅନୁସନ୍ଧାନ କରନ୍ତୁ।
-
୭୦ ଲକ୍ଷ ଟଙ୍କାର କ୍ଷତିପୂରଣ: ବିଡିଓ ଏବଂ ଥାନା ଅଧିକାରୀ ନିଜ କ୍ଷମତାର ଅପବ୍ୟବହାର କରି ମାନବାଧିକାର କ୍ଷୁଣ୍ଣ କରିଥିବାରୁ, ପୀଡ଼ିତା ମହିଳା ସରପଞ୍ଚ ଚମେଲି ଓଝାଙ୍କୁ ୫୦ ଲକ୍ଷ ଟଙ୍କା ଏବଂ ତାଙ୍କ ସାନଭାଇକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିବେଦନ କରାଯାଇଛି।
“ଜଣେ ନିର୍ବାଚିତ ଲୋକପ୍ରତିନିଧିଙ୍କ ପ୍ରତି ପ୍ରଶାସନର ଏଭଳି ଆଚରଣ ଗଣତନ୍ତ୍ର ପ୍ରତି ବିପଦ।”
ଏବେ ଦେଖିବାର ବାକି ରହିଲା, ଓଡ଼ିଶା ମାନବାଧିକାର ଆୟୋଗ ଏହି ମାମଲାକୁ କେତେ ଗୁରୁତ୍ୱର ସହ ନେଉଛନ୍ତି ଏବଂ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କି କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି।





