ଭୁବନେଶ୍ୱର (ସିଧା ସମ୍ବାଦ): ପବିତ୍ର ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜୁ ଜନତା ଦଳର ବାର୍ଷିକ ଜନସମ୍ପର୍କ ପଦଯାତ୍ରା। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀସ୍ଥିତ ରାଜ ପଡ଼ିଆରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ଆସନ୍ତା ନଭେମ୍ବର ୨ ତାରିଖ ଯାଏଁ ରାଜ୍ୟର ଗାଁ, ୱାର୍ଡ, ବ୍ଲକ୍ ଓ ସଂଗଠନାତ୍ମକ ଜିଲ୍ଲାସ୍ତରରେ ଦଳୀୟ ନେତା ଓ କର୍ମୀମାନେ ଲୋକଙ୍କ ନିକଟକୁ ଯାଇ ଜନସମ୍ପର୍କ ଗଢ଼ିତୋଳିବେ।
‘ଓଡ଼ିଶା ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି’ ସଭାକୁ ସମ୍ବୋଧିତ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ନିଜର କାର୍ଯ୍ୟ ଓ ଲୋକସେବା ଯୋଗୁଁ ସବୁବେଳେ ଜନସାଧାରଣଙ୍କ ହୃଦୟରେ ରହିଛି। ଏହାସହ ରାଜ୍ୟର ବର୍ତ୍ତମାନର ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି ସେ କହିଛନ୍ତି, “ଓଡ଼ିଶା ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ସରକାର ନିଜକୁ ଲୋକଙ୍କ ସରକାର ବୋଲି କହୁଥିଲେ ମଧ୍ୟ ସାଧାରଣ ଲୋକଙ୍କ ସମସ୍ୟା ଶୁଣିବାକୁ କେହି ନାହାନ୍ତି।”
ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ:
-
ବିଫଳ ପରିଚାଳନା: ରଥଯାତ୍ରା ପରିଚାଳନା, ବନ୍ୟା ରିଲିଫ୍, ଧାନ ସଂଗ୍ରହ, ନିଯୁକ୍ତି ପରୀକ୍ଷା ଏବଂ ଅର୍ଥ ବ୍ୟବସ୍ଥା ଭଳି ପ୍ରତ୍ୟେକ କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି।
-
ମୌଳିକ ସମସ୍ୟା ଓ ଆଇନଶୃଙ୍ଖଳା: କୋମଳମତି ପିଲାଙ୍କ ପାଠ୍ୟପୁସ୍ତକ ଅଭାବ, ବୟସ୍କଙ୍କ ପେନ୍ସନ୍ ସମସ୍ୟା, ଚାଷୀ ଓ ମହିଳାଙ୍କ ଦୁର୍ଦ୍ଦଶା ଏବଂ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
-
ପାଠ୍ୟପୁସ୍ତକ ତ୍ରୁଟି: ପାଠ୍ୟପୁସ୍ତକରେ ହଜାର ହଜାର ତ୍ରୁଟି ରହୁଥିଲେ ମଧ୍ୟ ସରକାର ଏଥିପାଇଁ କୌଣସି ଉତ୍ତରଦାୟିତ୍ୱ ନେଉନାହାନ୍ତି ବୋଲି ନବୀନ କହିଛନ୍ତି।
“ଟଙ୍କା ଯାଉଛି କୁଆଡ଼େ?” ରାଜ୍ୟର ରାଜସ୍ୱ ଓ ଋଣଭାର ପ୍ରସଙ୍ଗ ଉଠାଇ ନବୀନ ପ୍ରଶ୍ନ କରିଛନ୍ତି ଯେ, ରାଜସ୍ୱ ସଂଗ୍ରହ କମୁଛି, ବଜେଟ୍ ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇପାରୁନାହିଁ, ତଥାପି ରାଜ୍ୟର ଋଣଭାର ବଢ଼ିଚାଲିଛି। ତେବେ ଏସବୁ ଟଙ୍କା ଯାଉଛି କୁଆଡ଼େ?
ଖଣି ନୀତି ଓ ବିଜେପି ସାଂସଦଙ୍କୁ ଘେରିଲେ: ଖଣି ସମ୍ପଦ ଉପରେ ଓଡ଼ିଶାବାସୀଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ବେଳେ ରାଜ୍ୟ ସରକାର ନିରବ ରହିଛନ୍ତି। ଏସବୁ ପ୍ରସଙ୍ଗରେ ରାଜ୍ୟର ୨୦ ଜଣ ବିଜେପି ସାଂସଦ ଓଡ଼ିଶାବାସୀଙ୍କ ପାଇଁ ସ୍ୱର ଉଠାଉନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।
ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଓଡ଼ିଶାର ସ୍ୱାର୍ଥ ପାଇଁ ଏହି ଲଢ଼େଇକୁ ଆଗାମୀ ଦିନରେ ଆହୁରି ଜୋରଦାର କରିବାକୁ ନବୀନ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ପଦଯାତ୍ରାରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ମନ୍ମଥ ରାଉତରାୟଙ୍କ ସମେତ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।