ନୀଳଗିରି; ୧୯/୪(ସିଧାସମ୍ବାଦ); ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ଆଶ୍ରମ ସ୍କୁଲ ସମ୍ମୁଖ ପାଚେରୀକୁ ଲାଗି ରାସ୍ତା କଡ଼ରେ ଥିବା ବଡ଼ବଡ଼ ଗଛ ଗୁଡ଼ିକର ବେଆଇନ ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ପକ୍ଷ ଛେଦନ କରି ବଡ଼ବଡ଼ କାଠ ଗଣ୍ଡି ଗୁଡ଼ିକ ବିକ୍ରି କରିବା ଏବଂ ଅଭିଯୋଗ ପରେ ଜଙ୍ଗଲ ବିଭାଗ ଚୁପ୍ ରହିବା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି। ବେଆଇନ ଗଛ ଗୁଡ଼ିକ କଟା ଯିବା ପରେ ତଥ୍ୟ ସଂଗ୍ରରୁ ଜଣାପଡିଥିଲା ପ୍ରଧାନ ଶିକ୍ଷକ ଗଛ ଗୁଡ଼ିକର ଡାଳ ସବୁ କାଟିବା ପାଇଁ ପାଖ ଗାଁର ହାମ୍ରା ମାଝୀଙ୍କୁ ନିର୍ଦ୍ଦେଶ ଦେଇଥିବା କଥା କେମେରା ଆଗରେ ମାନିଥିବା ବେଳେ ଜଙ୍ଗଲ ବିଭାଗ କି ତଦନ୍ତ କଲା ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଏନେଇ ଜଙ୍ଗଲ ବିଭାଗକୁ ଅଭିଯୋଗ କରାଯାଇଥିଲେ ହେଁ ଜଙ୍ଗଲ ବିଭାଗ ଧର୍ମକୁ ଆଖି ଠାର ମାରିବା ଭଳି ତଦନ୍ତ କରିବା ଓ କାଠ ଗୁଡିକୁ ଜବତ ନକରି ପରବର୍ତ୍ତୀ ସମୟରେ କାଠ ଗୁଡ଼ିକ ସେଠାରେ ନଥିଲା ବୋଲି ମିଛ ସଫେଇ ଦେବା କେଉଁଠୀ ନା କେଉଁଠି ପ୍ରଧାନ ଶିକ୍ଷକଙ୍କୁ ବଞ୍ଚାଇବା ବ୍ୟବସ୍ଥା ବୋଲି ଜଣାପଡ଼ୁଛି। ଯାହା ଜଣାପଡ଼ୁଛି ଆଶ୍ରମର ପ୍ରଧାନ ଶିକ୍ଷକ ଜଙ୍ଗଲ ବିଭାଗ ସହ ସଲାସୁତରା କରି କାଠ ଗୁଡ଼ିକ ବିକ୍ରି କରି ଭାଗ ବାଣ୍ଟ କରି ଖାଇଥିବାର ଶୁଣିବାକୁ ମିଳୁଛି। ପ୍ରାୟ ୧୫/୨୦ ଦିନ ଧରି କଟା ଯାଇଥିବା ଗଛର ଗଣ୍ଡିକୁ ଗୁଡ଼ିକ ସେହି ଠାରେ ପଡ଼ି ରହିଥିବା ବେଳେ ଦୁଇ ଦିନ ଭିତରେ ଜଙ୍ଗଲ ବିଭାଗ ତଦନ୍ତ କରିବାକୁ ଯାଇ କାଠଗଣ୍ଡି ଗୁଡ଼ିକ ଦେଖିପାରିଲେନି କେମିତି ତାହା ଜଙ୍ଗଲ ବିଭାଗର ପାରିବାପଣିଆ ନା ରାଧେ ରାଧେ ନୀତି ଜଙ୍ଗଲ ବିଭାଗକୁ ସୁହାଇଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଙ୍ଗଲ ବିଭାଗର ଅର୍ଥ କାରବାର ନୀତି ଯୋଗୁଁ ଜଙ୍ଗଲ ନଷ୍ଟ ହେବାକୁ ବସିଲାଣି। ପ୍ରକୃତ କାଠ ଚୋରି, ଗଛ କଟାଳିକୁ ଧରି ପାରୁ ନଥିବା ବେଳେ ନିରୀହ ଜାଳେଣି କାଠ ଗୋଟାଳିଙ୍କୁ ଧରି ଆଣି ଜେଲ ପଠାଉଥିବାର ଅଭିଯୋଗ ଉଠିଛି। ମୂଲ୍ୟବାନ ଗଛକଟା ଯାଇ ଆଶ୍ରମ ସ୍କୁଲ ଭିତରକୁ ଯାଇ ପିଲାମାନଙ୍କ ପାଇଁ ଜାଳେଣି ଭାବେ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା ହେଁ ଜଙ୍ଗଲ ବିଭାଗ କେମିତି ଜାଣି ପାରୁ ନାହିଁ ନା ଜାଣି ଅଜଣା ଅଭିନୟ କରୁଛି ତାହା ତଦନ୍ତ ସାପେକ୍ଷ । ଯାହା ଜଣା ପଡ଼ୁଛି ପ୍ରଧାନ ଶିକ୍ଷକ ଜଙ୍ଗଲ ବିଭାଗକୁ ହାତ କରି ଗଛ କାଟି ବିକ୍ରି କରି ଥାଉ ନହେଲେ ସ୍କୁଲର ଜାଳେଣି କାଠ ଭାବେ ବ୍ୟବହାର କରିଥାଉ ତାହା ତଦନ୍ତ ହେଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସି ପାରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ମଧ୍ୟ ପିଲାମାନଙ୍କର ଖାଦ୍ୟ ବସ୍ତ୍ର ଠାରୁ ଆରମ୍ଭ କରି ବିଦ୍ୟାଳୟରେ ଉପକରଣ କିଣିବା ପର୍ଯ୍ୟନ୍ତ ଅର୍ଥ ହେରଫେରରେ ସଂପୃକ୍ତି ଥିବାର ଅଭିଯୋଗ ହେଉଛି। ଏପରି ବେଆଇନ କାର୍ଯ୍ୟରେ ସଂପୃକ୍ତି ଥିବା ପ୍ରଧାନ ଶିକ୍ଷକ ଓ ଜଙ୍ଗଲ ବିଭାଗ ଉପରେ ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ସାଧାରଣରେ ଦାବି ହେଉଛି।



