ପିଜିଟି ଶିକ୍ଷକଙ୍କ ଦୁଇ ଦିନିଆ ଦକ୍ଷତା ବିକାଶ କର୍ମଶାଳା ଭାଗ ନେଲେ ୩୦୦ ପ୍ରଶିକ୍ଷାର୍ଥୀ

👇समाचार सुनने के लिए यहां क्लिक करें

ପିଜିଟି ଶିକ୍ଷକଙ୍କ ଦୁଇ ଦିନିଆ ଦକ୍ଷତା ବିକାଶ କର୍ମଶାଳା
ଭାଗ ନେଲେ ୩୦୦ ପ୍ରଶିକ୍ଷାର୍ଥୀ

ଭୁବନେଶ୍ବର, ୨୦ ମଇ ୨୦୨୫ :

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଦୁଇ ଦିନିଆ ଦକ୍ଷତା ବିକାଶ କର୍ମଶାଳା କୃଷି ଭବନସ୍ଥିତ ଅଡ଼ିଟୋରିୟମଠାରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ୧୭ ଟି ସ୍ବତନ୍ତ୍ର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୩୦୦ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ପରିଷଦର ଅଧ୍ୟକ୍ଷ ଶ୍ରୀ ମୃଣାଳକାନ୍ତି ଦାସ ଯୋଗ ଦେଇ ପ୍ରଶିକ୍ଷଣ ଉପରେ ଗୁରୁତ୍ବାରୋପ କରିଛନ୍ତି । ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଭାବେ ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ଶ୍ରୀ ରଘୁରାମ୍ ଆର୍ ଆୟର, ସମ୍ବଲପୁର ଆଞ୍ଚଳିକ ନିର୍ଦ୍ଦେଶକ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ବନାଥ ତରାଇ, ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ବନ୍ଦନା ମହାପାତ୍ର, ଅତିରିକ୍ତ ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ଶ୍ରୀ ବିଶ୍ବଜିତ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଚ୍ଚ ମାଧ୍ୟମିକ ପରିଷଦର ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି, ଶିକ୍ଷା ଓ ପ୍ରଶିକ୍ଷଣ ପରସ୍ପର ସହ ଜଡ଼ିତ । ସମୟାନୁସାରେ ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି । ଶିକ୍ଷାକୁ କେବଳ ଜ୍ଞାନ ଆହରଣ ଭାବରେ ନୁହେଁ ବରଂ ଏହାର ବ୍ୟବହାରିକ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ଏଥିସହ ଶିକ୍ଷାର ବିଭିନ୍ନ ବ୍ୟବହାରତ୍ମକ ଦିଗ ପ୍ରତି ଯତ୍ନଶୀଳ ହେବା ଏବଂ ଏହାକୁ ପ୍ରୋତ୍ସାହିତ କରିବା ନେଇ ଶ୍ରୀ ଦାସ ଗୁରୁତ୍ବ ଦେଇଥିଲେ । ସେହିପରି ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ଶ୍ରୀ ଆୟର୍ କର୍ମଶାଳା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବିଦ୍ୟାଳୟ ଗୁଡିକରେ ଥିବା ବିଭିନ୍ନ ପ୍ରଶାସନିକ କାର୍ଯ୍ୟ, ନାମଲେଖା ପ୍ରକ୍ରିୟା, ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ, ଆପାର୍ ଆଇଡ଼ି ଓ ୟୁଡାଇସ୍ ପୋର୍ଟାଲ ପରିଚାଳନା ଆଦି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ଉଦ୍ଦେଶ୍ୟରେ କର୍ମଶାଳାର ଆୟୋଜନ କରାଯାଇଛି ।

ଆଞ୍ଚଳିକ ନିର୍ଦ୍ଦେଶକ, ସମ୍ବଲପୁର ଶ୍ରୀ ତରାଇ ପିଜିଟି ପ୍ରଶିକ୍ଷକଙ୍କୁ ସମନ୍ବୟ ଓ ଉତ୍ତରଦାୟିତ୍ବ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଶିକ୍ଷକତା ଏକ ଚାକିରୀ ନୁହେଁ ବରଂ ଏହା ଏକ ବୃତ୍ତି । ଏଥିସହ ଆସନ୍ତାକାଲି ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ଉପଦେଶ ଦେଇଛନ୍ତି । ସେହିପରି ଆଞ୍ଚଳିକ ନିର୍ଦ୍ଦେଶକ, ବ୍ରହ୍ମପୁର ଶ୍ରୀମତୀ ବନ୍ଦନା ମହାପାତ୍ର ରେକର୍ଡ କିପିଂ ଉପରେ ଧ୍ୟାନ ଦେଇଥିଲେ । ଉଭୟ ପ୍ରଶାସନିକ ଓ ଶିକ୍ଷା କ୍ଷେତ୍ରରେ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାରଙ୍ଗମ ହେବା ନେଇ ଗୁରୁତ୍ବାରୋପ କରିଥିଲେ ।

ସୂଚନାନୁସାରେ, ଏହି ଦୁଇ ଦିନିଆ କର୍ମଶାଳାରେ ବିଦ୍ୟାଳୟର କାର୍ଯ୍ୟାଳୟ ପ୍ରତିଷ୍ଠାନ ପରିଚାଳନା, ପରୀକ୍ଷା ପରିଚାଳନା, ଅନଲାଇନ୍ ଏକାଡେମିକ୍ ସପୋର୍ଟ ପ୍ରୋଗାମ୍, ଏଚଆରଏମଏସ, ଆଇଏଫଏମଏସ ଆଦି ସମ୍ପର୍କରେ ପ୍ରଶିକ୍ଷଣ, ଇ-ଆଡମିଶନ, ଛାତ୍ରବୃତ୍ତି, ଡିଜିଟାଲ୍ କ୍ଲାସ୍ ରୁମ୍ ବ୍ୟବହାର ଆଦି ସମ୍ପର୍କରେ ତାଲିମ୍ ଦିଆଯିବ ।

Sidha Sambad
Author: Sidha Sambad

Leave a Comment

और पढ़ें