ନୀଳଗିରି ଜରାଜୀର୍ଣ ବସଷ୍ଟାଣ୍ଡର ରୂପ ରେଖ ବଦଳିବ |
ହେବ ଅତ୍ୟାଧୁନିକ ବସଷ୍ଟାଣ୍ଡ |
ବିଧାୟକଙ୍କ ହସ୍ତକ୍ଷେପ; ବସଷ୍ଟାଣ୍ଡ ପାଇଁ ୧୫ କୋଟି ମଞ୍ଜୁର |
ନୀଳଗିରି,୩/୬(ସିଧାସମ୍ବାଦ); ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ନୀଳଗିରିର ବସଷ୍ଟାଣ୍ଡର ରୂପରେଖ ବଦଳିବ | ପୁରୁଣା ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବସଷ୍ଟାଣ୍ଡ ଟି ହେବ ଅତ୍ୟାଧୁନିକ ବା ସ୍ମାର୍ଟ ବସ ଷ୍ଟାଣ୍ଡ |
ବିଧାୟକଙ୍କ ହସ୍ତକ୍ଷେପ ପରେ ବସଷ୍ଟାଣ୍ଡ ପାଇଁ ୧୫ କୋଟି ମଞ୍ଜୁର ହୋଇଥିବାରୁ ନୀଳଗିରି ବାସି ଖୁସିବ୍ୟକ୍ତ କରିଛନ୍ତି | ସୂଚନା ମୁତାବକ ନୀଳଗିରିର ବିଧାୟକ ସନ୍ତୋଷ ଖଟୁଆଙ୍କ ହସ୍ତକ୍ଷେପ ପରେ ଏଥ୍ନେଇ ରାଜ୍ୟ ସରକାର ୧୫ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ମିଳିଛି । ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଉଦ୍ୟମରେ ୧୯୮୪ ମସିହାରେ ବାଇପାସ ନିକଟରେ ଏକ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ସେତେବେଳେ ନୀଳଗିରି ସହର ଭିତରେ ଦେଇ ବସ ଚଳାଚଳ କରୁଥିଲା। ୨୦୧୦ ମସିହା ଜାନୁୟାର ମାସରେ ତତ୍କାଳୀନ ନୀଳଗିରି ଏନଏସି ନିର୍ବାହୀ ଅଧିକାରୀ ଦିବଂଗତ ଅଜିତ ଦାସଙ୍କ ଉଦ୍ୟମ କ୍ରମେ ଏହି ବସଷ୍ଟାଣ୍ଡଟି କାର୍ଯ୍ୟକ୍ଷମ ହୋଇଥିଲା। ଯାହା ପାଇଁ ଏଠାରେ ବହୁ ଦୋକାନୀ ସେମାନଙ୍କର ଗୁଜୁରାଣ ମେଣ୍ଟାଇବାରେ ସକ୍ଷମ ହୋଇଥିଲେ । କାଳ କ୍ରମେ ବସଷ୍ଟାଣ୍ଡ ଗୃହଟି ଦୁର୍ବଳ ହୋଇ ଛାତରୁ ସିମେଣ୍ଟ ଖଣ୍ଡ ଖସିବା, ଯାତ୍ରୀମାନେ ଆହତ ହେବା, ଏପରିକି ଏହି ବସଷ୍ଟାଣ୍ଡଟି ଜବରଦଖଲ ହୋଇଥିବା ନେଇ ମଧ୍ଯ ଅଭିଯୋଗ ଉଠିଥିଲା। ବାରମ୍ବାର ଏନଏସି ପକ୍ଷରୁ ଏହାକୁ ମରାମତି କରାଯାଇ କେବଳ ରାଜସ୍ୱ ହାନୀ ଘଟୁଥିଲା। ୧ ଏକର ପରିବ୍ୟାପ୍ତ ସ୍ଥାନରେ ଏହି ବସଷ୍ଟାଣ୍ଡଟି ରହିଥିଲେ ହେଁ
ଅଦ୍ୟାବଧି କୌଣସି ବିକାଶ ହୋଇ ପାରିନାହିଁ । ନୀଳଗିରି ବିଧାୟକ ଶ୍ରୀ ଯୁକ୍ତ ଖଟୁଆ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇ ୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଯେଉଁ ଟଙ୍କାରେ ଏଠାରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଯାତ୍ରୀମାନଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ବିଧାୟକ କହିଛନ୍ତି। ଏ ବାବଦରେ ପରିବହନ ବିଭାଗ ପକ୍ଷରୁ ସର୍ଭେ ମଧ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି।






