ଅଞ୍ଚଳିକ କୃଷକ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ଗଣ ଧାରଣା |
ନୀଳଗିରି, ୧୨/୬(ସିଧାସମ୍ବାଦ); ନୀଳଗିରି ଉପଖଣ୍ଡର ସାଧାରଣ ଜନତା ବର୍ଷ ବର୍ଷ ଧରି ନାହିଁ ନଥିବା ବିଭିନ୍ନ ମୌଳିକ ସମସ୍ୟାରେ କାଳାତିପାତ କରୁଛନ୍ତି | ବର୍ଷ ବର୍ଷ ଧରି ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କଲାପରେବି ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ | ସମ୍ବଳିତ ଚାରି ଦଫା ଦାବି ନେଇ ନୀଳଗିରି ଅଞ୍ଚଳିକ କୃଷକ ମଞ୍ଚ ପକ୍ଷରୁ ଆଜି ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ସକାଳ ୯ ଘଟିକାରେ କୃଷକ ନେତା ତଥା ବାଉଁଶବଣିଆ ସରପଞ୍ଚ ଗ୍ରା:ପ ର ସରପଞ୍ଚ ନିରଞ୍ଜନ ବାରିକ ଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ପ୍ରଥମେ ଜଗନ୍ନାଥ ମନ୍ଦିର ଠାରୁ ଶୋଭା ଯାତ୍ରାରେ ବାହାରି ନୀଳଗିରି ବାଇପାସ୍ ଛକରେ ପହଞ୍ଚିଥିଲେ | ଔପଦ ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ ରେ ନୀଳଗିରି ବାଏପାସ ଠାରେ ରାସ୍ତା ରୋକ ଓ ଗଣ ଭିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ପ୍ରମୁଖ ଚାରି ଦଫା ଦାବି ନେଇ ଏହି ଭିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ପ୍ରମୁଖ ଦାବି ମାନଙ୍କ ମଧ୍ୟରେ ନୀଳଗିରି- ବଉଳ ଗଡ଼ିଆ ରାସ୍ତା ଯଥା ଶୀଘ୍ର ପୁନଃନିର୍ମାଣ କରାଯାଉ, ଇକୋ ସେନସେଟିଭି ଜୋନ କୁ ଜନ ବସତିରୁ ହଟାଯାଇ ଜଙ୍ଗଲ ଭିତରେ ରଖାଯାଉ, ସମସ୍ତ ରାଜସ୍ବ ଗ୍ରାମରେ ପଲ୍ଲୀ ସଭା କରାଯାଇ କୁଲଡିହା କୁ ଅଭୟାରଣ୍ୟ ର ମାନ୍ୟତା ଦିଆଯାଉ, ହାତୀ କବଳରୁ ସାଧାରଣ ଧନ ଜୀବନର ସୁରକ୍ଷା ଦିଆଯାଉ | ଆଜି ପ୍ରବଳ ଗୁଳୁଗୁଳି ଗ୍ରୀଷ୍ମ ପ୍ରବାହ ସତ୍ୱେ ଏହି ରାସ୍ତା ରୋକ ସକାଳ ୯ ଘଟିକାରୁ ୧୨ଘଟିକା ପର୍ଯ୍ୟନ୍ତ ଚାଲିଥିଲା | ରାସ୍ତା ରୋକ ହେବା ଦ୍ୱାରା ୩ ଘଣ୍ଟା ଧରି ଯାତାୟାତ ରେ ବାଧା ସୃଷ୍ଟି ହୋଇଥିଲା | ଉକ୍ତ ପାଞ୍ଚ ଦଫା ଦାବି ପତ୍ର ଉପଜିଲ୍ଲାପାଳ ଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ ବେଳେ ଡେପୁଟି କଲେକ୍ଟର ପ୍ରଦୀପ ଦାସ ବିକ୍ଷୋଭ ସ୍ଥଳରେ ପହଞ୍ଚି ଦାବୀ ପତ୍ର ଗ୍ରହଣ କରିଥିଲେ | ଏଥିରେ ଖୁବ ଶୀଘ୍ର ନୀଳଗିରି- ବଉଳଗଡିଆ ରାସ୍ତା ଆସନ୍ତା ୧୫ ଦିନ ମଧ୍ୟରେ ମରାମତି ପାଇଁ ପ୍ରତିଶ୍ରୁତି ଦେବା ସହିତ ଅନ୍ୟ ଦାବୀ ପାଇଁ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା | ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବି ଅଜୟ ପଟ୍ଟନାୟକ ଏବଂ ଗୌରହରି ବେହେରା, କୃଷକନେତା ଅନିରୁଧ ନାୟକ, ବର୍ଷୀୟାନ କମ୍ରେଡ ନେତା କୈଳାସ ପଣ୍ଡା,ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ,କୃଷକମଞ୍ଚ ର ଉପସଭାପତି ଉମାକାନ୍ତ ମଲ୍ଲିକ, ସମ୍ପାଦକ ନିହାର ରଞ୍ଜନ ଜେନା, ସଭ୍ୟ ବିଜୟ କୁମାର ସ, ଯୋଗେସ ବେହେରା,ଅନିରୁଦ୍ଧ ବେହେରା, କମଳା କାନ୍ତ ବାରିକ, ଶ୍ରମିକ ନେତା ଶ୍ୟାମସୁନ୍ଦର ଜେନ, ଶ୍ୟାମସୁନ୍ଦରପୁର ଗ୍ରା:ପ ର ସରପଞ୍ଚ ପୁରୁସୋତ୍ତମ ସେଠୀ ପ୍ରମୁଖ ବିକ୍ଷୋଭ ସ୍ଥଳୀରେ ଉପସ୍ଥିତ ଥିଲେ |
ଅଞ୍ଚଳର ପ୍ରମୁଖ ସମସ୍ୟା ର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ପ୍ରଶାସନ କୁ ଦୃଢ ଚେତାବନୀ ଦେଇଥିଲେ |






