ବାଲେଶ୍ବର,୨୧/୦୬ (ସିଧା ସମ୍ବାଦ) ଖରସ୍ରୋତା ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡ ଫେକଘାଟ, ଘାଟଶିଳା, ଜାମସେଦପୁର, ଜାମଶୋଳା ଘାଟ ଆଦି ସ୍ଥାନରେ ପ୍ରବଳ ବର୍ଷା ଫଳରେ ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜରେ ହଠାତ ଜଳପତ୍ତନ ବୃଦ୍ଧି । ବ୍ୟାରେଜର ଜଳପତ୍ତନ ହ୍ରାସ ପାଇଁ କର୍ତ୍ତୃପକ୍ଷ ଗୁରୁବାର ୮ଟି ଫାଟକ ଖୋଲି ଦେଇଥିଲେ। ଏହି ୮ଟି ଫାଟକ ଦେଇ ୨.୭୦ଲକ୍ଷ କ୍ୟୁସେକ ପାଣି ସୁବର୍ଣ୍ଣରେଖା ନଦୀକୁ ନିଷ୍କାସିତ ହେଉଛି। ବ୍ୟାରେଜ ପାଣି ନଦୀକୁ ପ୍ରଭାବିତ ହେଉଥିବାରୁ ଗୁରୁବାର ରାତିରୁ ସୁବର୍ଣ୍ଣରେଖା ନଦୀର ତଳିଆ ଅଞ୍ଚଳ ଉତ୍ତର ବାଲେଶ୍ବର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖାରେ ଏହା ଚଳିତ ବର୍ଷର ପ୍ରଥମ ବନ୍ୟା । ବନ୍ୟା ପରିସ୍ଥିତି ପାଇଁ ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକର ନଦୀକୂଳିଆ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଶୁକ୍ରବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲାକୁ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉପରୋକ୍ତ ଜିଲାଗୁଡ଼ିକ ମଧ୍ୟରୁ କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଆସନ୍ତା ୨୪ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ରହିଛି ସମ୍ଭାବନା । ପାଣିପାଗ ବିଶେଷଜ୍ଞ କହିଛନ୍ତି, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ୨୨ କିମ୍ବା ୨୩ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା
। ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।




