ଖଣ୍ଡପଡ଼ା ୧୩|୭( ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ଗ୍ରାମର ଗୋୖଡସାହି ବାସିନ୍ଦା ବର୍ଷବର୍ଷ ଧରି ବର୍ଷାଦିନ ଆସିଲେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ଗତ କିଛିଦିନ ଧରି
ଲଗାଣ ବର୍ଷା ହେବା ଦ୍ବାରା ସାହି ରାସ୍ତାରେ ବର୍ଷା ଜଳ ଜମି ରହି ପୂର୍ତଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।ଜଳ ନିଷ୍କାସନ ପଥ ଅବରୋଧ ଯୋଗୁଁ ରାସ୍ତାରେ ୨ ଫୁଟ ଉଚ୍ଚରେ ପାଣି ଜମି ରହିଥିବା ଜଣାପଡିଛି। ଫଳରେ ଉକ୍ତ ରାସ୍ତାଦେଇ ଯାତାୟାତ ବାଧାପ୍ରାପ୍ତ ହେବା ସହ ସ୍ଥାନୀୟ ବାସିନ୍ଦା ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଜଳ ନିଷ୍କାସନ ପଥ ଅବରୋଧ କରି ସ୍ଥାନୀୟ ଅଞ୍ଚଳର କେତେକ ପ୍ରଭାବଶାଳୀ ବ୍ୟକ୍ତି ସ୍ଥାୟୀ ବାସଗୃହ ନିର୍ମାଣ କରିଥିବା ବେଳେ ଆବର୍ଜନା ପାଣି ନିଷ୍କାସନ ନିମନ୍ତେ ରାସ୍ତା ପାର୍ଶ୍ବରେ ନାଳ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ସ୍ଥାନୀୟ ବାସିନ୍ଦା ଏ ସଂର୍ପକରେ ଖଳିସାହି ସରପଞ୍ଚ,ପଞ୍ଚାୟତ କର୍ତ୍ତୃପକ୍ଷ ଓ ଖଣ୍ଡପଡ଼ା ବ୍ଲକ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା ସ୍ଥାନୀୟ ବାସିନ୍ଦାଙ୍କ ସୁତ୍ରରୁ ଜଣାପଡିଛି।ଏ ସଂର୍ପକରେ ଖବରପାଇ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସ୍ଥାନୀୟ ବାସିନ୍ଦା ବିଭିନ୍ନ ଅସୁବିଧା ସଂପର୍କରେ ବିଧାୟକଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ତେବେ ରାସ୍ତା ଉପରୁ କେବେ ଆବର୍ଜନା ପାଣି ହଟିବା ସହ ରାସ୍ତା ପାର୍ଶ୍ବରେ ନାଳ ନିର୍ମାଣ ହେବ ତାହା ଦେଖିବାକୁ ବାକି ରହିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।(ଫଟୋ ପଠାଇଛି)




