ଓଡିଶା ପ୍ରଶାସନିକ ସେବା(OAS)ରେ ଟପ୍ପର ହୋଇଥିଲେ। ତହସିଲଦାର ଭାବେ ନିଯୁକ୍ତି ମିଳିଥିଲା। ହେଲେ ଏବେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଏହି ଲାଞ୍ଚୁଆ ଅଧିକାରୀ ଜଣକ ହେଉଛନ୍ତି ୨୦୧୯ ବ୍ୟାଚର ଓଏଏସ ଅଧିକାରୀ ତଥା ସମ୍ବଲପୁର ଜିଲା ବାମରା ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା। ନିଜ ଡ୍ରାଇଭରଙ୍କ ଜରିଆରେ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି।
ସୂଚନା ଅନୁସାରେ, ଏକ ଚାଷ ଜମିକୁ ଆବାସିକ ଜମିରେ ବଦଳାଇବା ପାଇଁ ମ୍ୟୁଟେସନ କେସରେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଅଶ୍ଵିନୀ। ୨୦ ହଜାର ଟଙ୍କା ଦେଇପାରିବେ ନାହିଁ ବୋଲି ଅଭିଯୋଗକାରୀ କହିବା ପରେ ତହସିଲଦାର ୧୫ ହଜାର ଟଙ୍କା ଦେବାକୁ କହିଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ଅଭିଯୋଗକାରୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ତହସିଲଦାରଙ୍କ ଡ୍ରାଇଭର ପି. ପ୍ରବୀଣ କୁମାର ଲାଞ୍ଚ ଅର୍ଥ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।




