ଭୁବନେଶ୍ବର :
ଭୁବନେଶ୍ୱର: ରାଜ୍ୟରେ ଧାନକିଣା ପ୍ରକ୍ରିୟାରେ ଅବ୍ୟବସ୍ଥା ଥିବା ଅଭିଯୋଗ କରି ସରକାରଙ୍କୁ କୃଷକ ସଂଗଠନମାନେ ଚେତାବନୀ ଦେଇଛନ୍ତି। ମଣ୍ଡିରେ ଧାନ ଉଠାଣରେ ବିଳମ୍ବ, ଟୋକନ ବ୍ୟବସ୍ଥାର ଅସୁବିଧା ଏବଂ ସଠିକ୍ ମୂଲ୍ୟ ନମିଳିବାରୁ କୃଷକମାନେ ହତାଶ ହୋଇଥିବା କୁହାଯାଇଛି।
କୃଷକ ନେତାମାନେ କହିଛନ୍ତି ଯେ, ଯଦି ଶୀଘ୍ର ଧାନକିଣା ବ୍ୟବସ୍ଥାକୁ ସୁଧାରା ନକରାଯାଏ, ତେବେ ସରକାର ବିରୋଧରେ ତୀବ୍ର ଆନ୍ଦୋଳନ କରାଯିବ। ଏହାସହ ଧାନକିଣାରେ ସଫଳତା ଆଣିବା ପାଇଁ ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ କରିବା ଦାବି ହୋଇଛି।
ରାଜ୍ୟର ୧୩ଟି ଜିଲାରେ ଧାନକିଣା ଆରମ୍ଭ ହୋଇଥିବାବେଳେ ଏହି ବ୍ୟବସ୍ଥା ଚଳିତବର୍ଷ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଧାନ ପ୍ରତି କ୍ବିଣ୍ଟାଲ ୮୦୦ ଟଙ୍କା ଇନପୁଟ୍ ସବସିଡି ପ୍ରଦାନ କରୁଛନ୍ତି ବୋଲି ସରକାର ବାହାବା ନେଉଛନ୍ତି। ହେଲେ ବାସ୍ତବରେ ରାଜ୍ୟର ଧାନ କିଣା ବ୍ୟବସ୍ଥା ଚାଷୀକୁଳଙ୍କ ପ୍ରତି ଧୋକା ଓ ପ୍ରତାରଣାରେ ପରିଣତ ହୋଇଛି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା କହିଛନ୍ତି।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ଦାସବର୍ମା କହିଛନ୍ତି, ଚାଷୀକୁଳଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଜେଡି ଲଢ଼େଇ ଜାରି ରଖିବ। ଖୁବ୍ଶୀଘ୍ର ଦଳ ରାସ୍ତାକୁ ଓହ୍ଲାଇବ। ଛତିଶଗଡ଼ ଓଡ଼ିଶାଠାରୁ କମ୍ ଧାନ ଉତ୍ପାଦନ କରିଥାଏ। ତେବେ ଓଡ଼ିଶା ପାଇଁ ୭୩ ଲକ୍ଷ ମେଟ୍ରିକ ଟନ ଧାନକିଣା ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ଛତିଶଗଡ଼ ପାଇଁ ୮୦ ଲକ୍ଷ ମେଟ୍ରିକ ଟନ ଲକ୍ଷ୍ୟ ରଖାଯାଇଛି। ଛତିଶଗଡ଼ରେ ଧାନ ସଂଗ୍ରହ ପ୍ରକ୍ରିୟା ଆଗେଇ ଚାଲିଥିବାବେଳେ ଓଡ଼ିଶାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଧାନକିଣା ଦାୟିତ୍ବରେ ଥିବା ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ୧୮, ୮୮୬ କୋଟି ଟଙ୍କା ଋଣ ଭାର ରହିଛି। ଏହାଛଡ଼ା ଧାନ କିଣା ବାବଦରେ କେନ୍ଦ୍ର ସରକାରଙ୍କ ନିକଟରୁ ୮୧୨୧ କୋଟି ଟଙ୍କା ଓଡ଼ିଶା ପାଇବାର ଅଛି। ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ଜଟିଳ କରିବା ଦ୍ୱାରା ରାଜ୍ୟର ସମସ୍ତ ଚାଷୀଙ୍କ ପଞ୍ଜୀକରଣ ହୋଇପାରିଲା ନାହିଁ। ଯେଉଁ ୮୦୦ ଟଙ୍କା ଇନପୁଟ୍ ସବସିଡି କଥା କହିଥିଲେ ତାହା ପ୍ରଦାନ ନ କରିବା ଉଦ୍ଦେଶ୍ୟରେ ଧାନ କିଣାରେ ଟାଳଟୁଳ ନୀତି ରାଜ୍ୟ ସରକାର ଅବଲମ୍ବନ କରୁଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ମନ୍ତବ୍ୟରେ ତାଳମେଳ ନାହିଁ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମାତ୍ର ୮% ଚାଷୀ ଧାନ ବିକିବା ପାଇଁ ସକ୍ଷମ ହୋଇଥିଲାବେଳେ ଛତିଶଗଡ଼ରେ ୪୦% ଚାଷୀ ଧାନ ବିକ୍ରି କରିସାରିଲେଣି। ରାଜ୍ୟରେ ବର୍ତ୍ତମାନ ୧୩ଟି ଜିଲାରେ ଧାନକିଣା ଚାଲିଥିବାବେଳେ ଏହି ଜିଲାଗୁଡ଼ିକରେ ୪୦୮୩ ଧାନ କିଣା କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ଜିଲାଗୁଡ଼ିକରେ ମାତ୍ର ୧୦୩୯ଟି ଧାନ କିଣା କେନ୍ଦ୍ର ଖୋଲା ଯାଇଛି। ଧାନ ମଣ୍ଡିରେ ଓ ରାସ୍ତାରେ ଧାନ ରଖି କୃଷକ ଧାନ ବିକିବାକୁ ଚାତକ ପରି ଚାହିଁ ବସିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।






