ଖଣ୍ଡପଡ଼ା ୯|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକର ବନମାଳୀପୁର ପଞ୍ଚାୟତ ଅଧୀନ ବସନ୍ତପୁର ଗ୍ରାମର ୬ ଟି ଘରୁ ଲୁଟେରାମାନେ ରବିବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ସାମଗ୍ରୀ ସମେତ ନଗଦ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ନେଇ ଫତେଗଡ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ସାଇନଟିଫିକ ଦଳ ଓ ସନ୍ଧାନୀ କୁକୁର ସହାୟତାରେ ବସନ୍ତପୁର ଗ୍ରାମରେ ପହଞ୍ଚି ଚୋରୀ ଘଟଣାର ଖୋଳତାଡ କରିଥିବା ଜଣାଯାଇଛି। ଲୁଟେରାମାନେ ସଂଘବଦ୍ଧ ଭାବେ ଗୋବର୍ଦ୍ଧନ ସାହୁ,ସପନୀ ଦାଶ,ବିଦ୍ୟାଧର ବେହେରା,କୁଳମଣି ବେହେରା,ବୈଷ୍ଣବ ସାହୁ, ସନ୍ତୋଷ ସାହୁଙ୍କ ବାସଗୃହରେ ପ୍ରବେଶ କରି ସୁନା, ରୁପା ଓ ନଗଦ ଟଙ୍କା ଲୁଟପାଟ କରିଥିବା ଜଣାଯାଇଛି। ଏହି ଚୋରୀ ଘଟଣା ପଛରେ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକଙ୍କ ହାତ ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଲୁଟେରାମାନଙ୍କ ଟେର ପାଇ ପାରିନି ପୋଲିସ। ଏ ସଂର୍ପକରେ ଫତେଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି





