ଖଣ୍ଡପଡ଼ା ୧୦|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ ପଞ୍ଚାୟତ ଅଧୀନ କୃଷ୍ଣଚନ୍ଦ୍ରପୁର ପାଟଣାସାହିର ସୁରେଶ କୁମାର ସାହୁ (୪୫) ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ହେଁ ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଥିବାରୁ ପରିବାରବର୍ଗ ଏ ନେଇ ଚିନ୍ତାରେ ପଡି ଯାଇଥିବା ଜଣାପଡିଛି।ଉପଯୁକ୍ତ ଚିକିତ୍ସା ନିମନ୍ତେ ଅଧିକ ଅର୍ଥର ଆବଶ୍ୟକତା ବେଳେ ଏବେ ଗୋଟିଏ ଗୋଟିଏ ଇଞ୍ଜେକସନ ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ଦେବାକୁ ପଡୁଥିବା ପରିବାରବର୍ଗଙ୍କ ସୁତ୍ରରୁ ଜଣାପଡିଛି। ରାଜ୍ୟ ସରକାର ପ୍ରଦାନ କରିଥିବା ଆୟୁଷ୍ମାନ କାର୍ଡରେ ଉପଲବ୍ଧ ଆନୁସଙ୍ଗିକ ଅର୍ଥ ରାଶି ଚିକିତ୍ସା ସମୟରେ ଶେଷ ହୋଇଯିବା ପରେ ଏବେ ପରିବାରବର୍ଗଙ୍କ ମୁଣ୍ତରେ ଚଡକ ପଡିଛି।ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ଯୁବକ ଜଣକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଆଉ ଇଞ୍ଜେକସନ କିଣିବାକୁ ପରିବାରବର୍ଗଙ୍କ ନିକଟରେ ଆବଶ୍ୟକ ଅର୍ଥର ଅଭାବ ରହିଛି। ନୟାଗଡ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଜିଲା ରେଡକ୍ରସ ପାଣ୍ଠିରୁ ଯୁବକଙ୍କ ଚିକିତ୍ସା ନିମନ୍ତେ ଆନୁସଙ୍ଗିକ ସହାୟତା ରାଶି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଅନୁରୁପ ଭାବେ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ରୋଗାକ୍ରାନ୍ତ ଯୁବକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଖଣ୍ଡପଡ଼ା ବିଧାୟକ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଓ ପରିବାରବର୍ଗ ନିବେଦନ କରିଛନ୍ତି।ଉକ୍ତ ଯୁବକଙ୍କୁ ସହଯୋଗର ହାତ ବଢାଇବାକୁ ଇଛୁକ ସହୃଦୟ ବ୍ୟକ୍ତି ଓ ସ୍ବେଚ୍ଛାସେବୀମାନେ ଏହି ମୋବାଇଲ ନମ୍ବରରେ ୭୮୫୫୯୮୨୪୨୩ ଯୋଗାଯୋଗ କରିବାକୁ ପରିବାରବର୍ଗ ନିବେଦନ କରିଛନ୍ତି। ଖଣ୍ଡପଡ଼ା ବିଧାୟକ ଓ କଟକ ସାଂସଦ ଉକ୍ତ ପରିବାର ପ୍ରତି ସଦୟ ହେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।






