ଭୁବନେଶ୍ୱର (ସିଧା ସମ୍ବାଦ): ରାଜ୍ୟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ସରକାରଙ୍କ ନୂଆ ଅବକାରୀ ନୀତି ୨୦୨୬-୨୯ ଅନୁସାରେ ଏଣିକି ବଜାରରେ କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ରେ ମଦ ଉପଲବ୍ଧ ହେବ। ଏହି ନୂତନ ନିୟମାବଳୀରେ ମଦ ବିକ୍ରି, ସୁରକ୍ଷା ଏବଂ ନିଶାମୁକ୍ତି ଅଭିଯାନ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି।ନୂଆ ଗାଇଡଲାଇନ ଅନୁସାରେ, ୧୮୦ ମିଲି ପର୍ଯ୍ୟନ୍ତ ମଦ ଏଣିକି ଟେଟ୍ରା ପ୍ୟାକ୍ରେ ମିଳିବ। ଏହି ପ୍ୟାକ୍ରେ ୬ଟି ସୁରକ୍ଷା ଲେୟର ରହିବ, ଯାହା ମଦର ଗୁଣବତ୍ତା ବଜାୟ ରଖିବା ସହ ପରିବେଶ ପାଇଁ ମଧ୍ୟ ଅନୁକୂଳ ହେବ ବୋଲି କୁହାଯାଇଛି।
-
ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶକୁ ଦୃଷ୍ଟିରେ ରଖି ପୁରୀ ବେଳାଭୂମିରେ କୌଣସି ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ।
-
ରାଜ୍ୟର ଅନ୍ୟାନ୍ୟ ବେଳାଭୂମିରେ ଓଟିଡିସି (OTDC) କୁ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି।
-
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଇକୋ ରିଟ୍ରିଟ୍ରେ ‘ମଦ କୁଡ଼ିଆ’ ଖୋଲାଯାଇ ମଦ ବିକ୍ରି କରାଯିବ।
ସରକାର ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରିଛନ୍ତି। ଏଥିପାଇଁ ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ (De-addiction Cess) ଲାଗୁ କରାଯାଇଛି, ଯାହା ଲୋକଙ୍କୁ ନିଶାମୁକ୍ତ କରିବା ପାଇଁ ବିନିଯୋଗ ହେବ। ଏହା ସହ:
-
ବିଭିନ୍ନ ଲାଇସେନ୍ସ ଆବେଦନ ଶୁଳ୍କରେ ୧୦% ବୃଦ୍ଧି କରାଯାଇଛି।
-
ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ ରୁ ୨୦% ବୃଦ୍ଧି ପାଇବ।
-
ଦେଶୀ ଓ ବିଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବଢ଼ିଥିବାରୁ ମଦ ଦର ମଧ୍ୟ ବୃଦ୍ଧି ପାଇବ।
ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ସରକାର ସମ୍ପୂର୍ଣ୍ଣ ମନା କରିଛନ୍ତି। ସେହିପରି ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ପାଖାପାଖି କୌଣସି ଅବକାରୀ ଦୋକାନ ଚାଲିବ ନାହିଁ। ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତ ଉତ୍ପାଦନ ୟୁନିଟ୍ ଏବଂ ଖୁଚୁରା ଦୋକାନକୁ ସିସିଟିଭି (CCTV) ନିରୀକ୍ଷଣରେ ରଖାଯିବ।



