କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତର ବଡକୋଲହା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗତ ଦୁଇ ଦିନ ଧରି ନିଖୋଜ ଥିବା ୭ ବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀର ମୃତଦେହ ଆଜି ସ୍ଥାନୀୟ କେନାଲରୁ ଉଦ୍ଧାର କରାଯାଇଛି। ବିଲରେ ରକ୍ତ ଦାଗ ଏବଂ କେନାଲରୁ ମୃତଦେହ ମିଳିବା ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ବଡକୋଲହା ଗାଁର କାଳନ୍ଦୀଚରଣ ନାୟକଙ୍କ ଝିଅ ସୁଷମା ନିଜର ୭ ବର୍ଷର ଝିଅ ଶୁଭଲକ୍ଷ୍ମୀଙ୍କୁ ଧରି ପ୍ରାୟ ବର୍ଷେ ହେବ ବାପଘରେ ରହି ଆସୁଥିଲେ। ଗତକାଲି ଗାଁରେ କୀର୍ତ୍ତନ ଚାଲୁଥିବା ସମୟରେ, ପ୍ରାୟ ଦିନ ୧୦ଟା ପରଠାରୁ ଶୁଭଲକ୍ଷ୍ମୀ ହଠାତ୍ ନିଖୋଜ ହୋଇଯାଇଥିଲେ। ସବୁଆଡ଼େ ଖୋଜାଖୋଜି କରିବା ପରେ ମଧ୍ୟ ଝିଅର କୌଣସି ପତ୍ତା ନମିଳିବାରୁ ମା’ ସୁଷମା ରାଜନଗର ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଲାସି ଅଭିଯାନ ଆରମ୍ଭ କରିଥିଲେ। ଗତକାଲି ସନ୍ଧ୍ୟା ସମୟରେ କେନାଲ ପାର୍ଶ୍ୱରେ ଥିବା ଏକ ବିଲରେ ବିଭିନ୍ନ ସ୍ଥାନରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନ୍ଧାର ଯୋଗୁଁ ଗତକାଲି ଅଧିକ ଖୋଜାଖୋଜି ସମ୍ଭବ ହୋଇନଥିବା ବେଳେ, ଆଜି ପୋଲିସ ସ୍ୱତନ୍ତ୍ର ଡଗ୍ ସ୍କ୍ୱାଡ୍ ସହାୟତାରେ ତଦନ୍ତ କରିବାକୁ ଯୋଜନା ରଖିଥିଲା।
ତେବେ ଆଜି ସକାଳେ ବ୍ରାହ୍ମଣୀ ନଦୀର ଏକ ଶାଖା କେନାଲରେ ଶୁଭଲକ୍ଷ୍ମୀର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବିଲରେ ରକ୍ତ ଦାଗ ମିଳିଥିବାରୁ, କେହି ଦୁର୍ବୃତ୍ତ ନାବାଳିକାକୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିବା ନେଇ ଗାଁରେ ଚର୍ଚ୍ଚା ଜୋର ଧରିଛି।
ରାଜନଗର ପୋଲିସ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଶିଶୁକନ୍ୟାର ମୃତ୍ୟୁ ପରେ ପୂରା ଗାଁରେ ଏବେ ଶୋକାକୁଳ ପରିବେଶ ସହ ଉତ୍ତେଜନା ଲାଗିରହିଛି।



