ଅମରାବତୀ: ଦୀର୍ଘ ୧୨ ବର୍ଷର ଅନିଶ୍ଚିତତା ପରେ ଶେଷରେ ଆନ୍ଧ୍ରପ୍ରଦେଶକୁ ମିଳିଛି ତା’ର ସ୍ଥାୟୀ ରାଜଧାନୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଅମରାବତୀ ବର୍ତ୍ତମାନ ଆନୁଷ୍ଠାନିକ ଭାବେ ରାଜ୍ୟର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀର ମାନ୍ୟତା ପାଇଛି। ୨୦୧୪ ମସିହାରେ ରାଜ୍ୟ ବିଭାଜନ ପରଠାରୁ ରାଜଧାନୀକୁ ନେଇ ରହିଥିବା ଦ୍ୱନ୍ଦ୍ୱରେ ଏହା ପୂର୍ଣ୍ଣଚ୍ଛେଦ ପକାଇଛି।
ପୂର୍ବରୁ ୨୦୧୪ ମସିହାର ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନରେ ରାଜଧାନୀର ନାମ ସ୍ପଷ୍ଟ ଭାବେ ଉଲ୍ଲେଖ ନଥିଲା। ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୬ ମାଧ୍ୟମରେ ଏଥିରେ ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁଯାୟୀ, ୨୦୨୪ ଜୁନ୍ ୨ ତାରିଖରୁ ଅମରାବତୀକୁ ସ୍ଥାୟୀ ରାଜଧାନୀ ଭାବେ ଗ୍ରହଣ କରାଯାଇଛି।
ଲୋକସଭାରେ ଏହି ବିଲ୍ ଉପରେ ଆଲୋଚନା ବେଳେ ଶାସକ ଓ ବିରୋଧୀ ଉଭୟ ପକ୍ଷରୁ ସକାରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି:
-
କଂଗ୍ରେସ ସଦସ୍ୟ ମାନିକମ୍ ଟାଗୋର ବିଲ୍କୁ ସମର୍ଥନ ଜଣାଇବା ସହ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରିଛନ୍ତି। ସେ କହିଛନ୍ତି, “ଅମରାବତୀ ମଧ୍ୟ ବେଙ୍ଗାଲୁରୁ, ଚେନ୍ନାଇ କିମ୍ବା ହାଇଦ୍ରାବାଦ ପରି ଏକ ବିକଶିତ ସହରରେ ପରିଣତ ହେଉ। ଏହା ସହ ବିଶାଖାପାଟଣା, ତିରୁପତି ଏବଂ କୁର୍ଣ୍ଣୁଲର ମଧ୍ୟ ବିକାଶ ହେବା ଆବଶ୍ୟକ।”
-
: ବିଜେପି ସଦସ୍ୟ ସିଏମ୍ ରମେଶ ଏହାକୁ ସ୍ୱାଧୀନ ଭାରତର ଇତିହାସରେ ଏକ ଅନନ୍ୟ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, “ସଂସଦରେ ବିଲ୍ ପାରିତ ହେବା ପରେ ଏବେ ରାଜଧାନୀ ସ୍ଥିତି ସହ କେହି ହେରଫେର କରିପାରିବେ ନାହିଁ।” ପୂର୍ବ ସରକାରଙ୍କ ‘ତିନି ରାଜଧାନୀ’ ନିଷ୍ପତ୍ତିକୁ ସେ ଅଯୌକ୍ତିକ ବୋଲି ସମାଲୋଚନା କରିଛନ୍ତି।
ଅମରାବତୀ ହେଲା ଆନ୍ଧ୍ରପ୍ରଦେଶର ଏକମାତ୍ର ସ୍ଥାୟୀ ରାଜଧାନୀ।
କେନ୍ଦ୍ର ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ।
୨୦୧୪ ବିଭାଜନ ଆଇନରେ ଥିବା ଅସ୍ପଷ୍ଟତା ଦୂର ହେଲା।
ଏହି ନିଷ୍ପତ୍ତି ପରେ ଆନ୍ଧ୍ରପ୍ରଦେଶରେ ଶାସନ ଏବଂ ବିକାଶ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି



