କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରୁ ଆସିଥିବା ଏହି ଦୃଶ୍ୟ ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଜଣେ ଭାଇ ନିଜ ଭଉଣୀର ୩ ମାସର କଙ୍କାଳକୁ ବସ୍ତାରେ ଭରି ବ୍ୟାଙ୍କ୍ ପହଞ୍ଚିବା ଘଟଣାରେ ଏବେ ତଦନ୍ତ ଜୋରଦାର ହୋଇଛି। ଆଜି ଆରଡିସି ସଂଗ୍ରାମ କେଶରୀ ମହାପାତ୍ର, ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।
ତଦନ୍ତ ପରେ ଆରଡିସି ସ୍ପଷ୍ଟ କରିଛନ୍ତି ଯେ, ଏଥିରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ଅବହେଳା ରହିଛି। ସିସିଟିଭି ଯାଞ୍ଚରୁ ଜଣାପଡିଛି ଯେ, ଜିତୁ ମୁଣ୍ଡା ସେଦିନ ପ୍ରାୟ ୩୨ ମିନିଟ୍ ବ୍ୟାଙ୍କ ଭିତରେ ରହିଥିଲେ ଏବଂ ୪ ଥର କର୍ମଚାରୀଙ୍କୁ ଭେଟିଥିଲେ। ଶେଷରେ ମ୍ୟାନେଜର ତାଙ୍କୁ ଫେରାଇ ଦେବା ପରେ ସେ କ୍ଷୁବ୍ଧ ହୋଇ କଙ୍କାଳ ଆଣିବାକୁ ବାଧ୍ୟ ହୋଇଥିଲେ।
ପୂର୍ବରୁ ଦୁହିଁଙ୍କୁ ବ୍ୟାଙ୍କ କର୍ମଚାରୀ ଚିହ୍ନିଥିଲେ ମଧ୍ୟ ହଇରାଣ କରିଥିବା ଅଭିଯୋଗ। ମୃତ ଭଉଣୀକୁ ନ ଆଣିଲେ ଟଙ୍କା ମିଳିବନି ବୋଲି କୁହାଯାଇଥିଲା। ମୃତଦେହକୁ ପୋଲିସ ଗାଡ଼ିରେ ନ ନେବାକୁ ନେଇ ମଧ୍ୟ ଆରଡିସି ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି ଦର୍ଶାଇବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।






