ଦୁର୍ଘଟଣା ଖୋଲିଦେଲା ଗୁମର: କଣ୍ଟେନରରୁ ଜବତ ହେଲା ୨୦ କିଲୋରୁ ଅଧିକ ଗଞ୍ଜେଇ

👇समाचार सुनने के लिए यहां क्लिक करें

ବାଲେଶ୍ୱର (ସିଧା ସମ୍ବାଦ): ରାସ୍ତାରେ ଦୁର୍ଘଟଣା ଘଟିଲା, ହେଲେ ସେହି ଦୁର୍ଘଟଣା ପୋଲିସ ହାତରେ ଧରାଇଦେଲା ଗଞ୍ଜେଇ ମାଫିଆଙ୍କ କଳା କାରନାମା। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚପରାପଦା ନିକଟରେ ଏକ ଅଭିନବ ଉପାୟରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ପୋଲିସ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚପରାପଦା ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା। ଏହି ସମୟରେ ଭଦ୍ରକ ପଟୁ ବାଲେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନର ଟ୍ରକ୍‌ଟି ଭାରସାମ୍ୟ ହରାଇ ସିମେଣ୍ଟ ଟ୍ରକ୍ ପଛରେ ଜୋରଦାର ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ପୋଲିସ ପହଞ୍ଚିଥିଲେ। ତେବେ କଣ୍ଟେନରଟିକୁ ଯାଞ୍ଚ କରିବା ସମୟରେ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କଣ୍ଟେନର ଭିତରେ ଅତି ଗୋପନୀୟ ଭାବେ ଲୁଚାଇ ରଖାଯାଇଥିବା ପ୍ରାୟ ୨୦ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ସାଧାରଣ ପରିବହନ ଗାଡ଼ି ଭଳି ଦେଖାଯାଉଥିବା ଏହି କଣ୍ଟେନରରେ କିପରି ଏତେ ପରିମାଣର ନିଶାଦ୍ରବ୍ୟ ଚାଲାଣ ହେଉଥିଲା, ତାହା ଏବେ ସନ୍ଦେହ ଘେରରେ।

ସୋର ଥାନା ପୋଲିସ ଉଭୟ ଗାଡ଼ିକୁ ଅଟକ ରଖିବା ସହ ଗଞ୍ଜେଇ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହି ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁ ସ୍ଥାନକୁ ଚାଲାଣ ହେଉଥିଲା, ସେ ନେଇ ଅଧିକ ପଚରାଉଚରା ଜାରି ରହିଛି।


Sidha Sambad
Author: Sidha Sambad

Leave a Comment

और पढ़ें