ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଧର ନାୟକଙ୍କ ବିୟୋଗରେ ଶୋକ I

👇समाचार सुनने के लिए यहां क्लिक करें

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଧର ନାୟକଙ୍କ ଦେହାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି l

ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, “ଶ୍ରୀଧର ନାୟକଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ଜଣେ କର୍ତ୍ତବ୍ୟ ନିଷ୍ଠା, ଦାୟିତ୍ୱବାନ ଅଧିକାରୀ ଭାବେ ତାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ । ସେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ ରହି ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି l”

ଏହି ଦୁଃଖଦ ସମୟରେ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଶୋକବର୍ତ୍ତରେ ଉଲ୍ଲେଖ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

ଏଥିସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଶୋକାବ୍ୟକ୍ତ କରିଛନ୍ତି ।

ସେହିଭଳି ଓଡିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ମଧ୍ୟ ଗଭୀର ଶୋକବ୍ୟକ୍ତ କରାଯାଇଛି । ତାଙ୍କ ମରଶରୀର ଆଜି ମଧ୍ୟାହ୍ନ ସମୟରେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସଂଘର କର୍ମକର୍ତ୍ତା, ସଦସ୍ୟ ପ୍ରମୁଖ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂଘ ଆଜି ଜଣେ ମେଳାପୀ ଓ ମିଷ୍ଟଭାଷୀ ବ୍ୟକ୍ତିଙ୍କୁ ହରାଇଲା ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟରେ ହଠାତ ଅବନତି ଦେଖାଯିବା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଭାବେ ତାଙ୍କର ମୃତ୍ୟୁ ଘଟିଛି ।

ସ୍ବର୍ଗତ ନାୟକ ଓଡିଶା ପ୍ରଶାସନିକ ଅଧିକାରୀ ଭାବେ ୧୯୯୬ ମସିହା ଜୁଲାଇ ପହିଲାରୁ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ବିରାମହରାଜପୁର ତହସିଲଦାର, ଆଠମଲ୍ଲିକ ତହସିଲଦାର ଓ ବିଡ଼ିଓ, ଓଡପଡା ଓ ରସୁଲପୁର ବିଡ଼ିଓ, ନୀଳଗିରି ଉପ-ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଓଡିଶା ସୂଚନା କମିଶନ ଆଦି କାର୍ଯ୍ୟାଳୟରେ କାର୍ଯ୍ୟକରି ନିଜ ଦକ୍ଷତାରେ ପରିଚୟ ଦେଇଛନ୍ତି । ଆସନ୍ତା ଅକ୍ଟୋବର ମାସରେ ସେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ । ନିଜର ଜନ୍ମମାଟି ନୟାଗଡ଼ର ଗଣିଆ ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ।

Sidha Sambad
Author: Sidha Sambad

Leave a Comment

और पढ़ें