ପୁଅ ହେଲେ ପର, କାନ୍ଧ ଦେଲେ ସାମ୍ବାଦିକ ଓ ପୁଲିସ: ବାଲେଶ୍ୱର ବସ୍ତା ଅଞ୍ଚଳରୁ ସାମ୍ନାକୁ ଆସିଲା ମାନବିକତାର ବଡ଼ ଚିତ୍ର I

👇समाचार सुनने के लिए यहां क्लिक करें

କୁହାଯାଏ “କୁପୁତ୍ର ଜାୟେତ ନଚିତ୍ କୁମାତା ଭବତି”। ଏହାର ଏକ ଅଭାବନୀୟ ତଥା ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ସହର ନିକଟରେ। ଜନ୍ମକଲା ମା’ର ମୃତ୍ୟୁ ପରେ ଦୁଇ ପୁଅ କାନ୍ଧ ନଦେବାରୁ ଦୀର୍ଘ ସମୟ ଧରି ମୃତଦେହ ପଡ଼ି ରହିଥିଲା। ଶେଷରେ କର୍ତ୍ତବ୍ୟର ପରିସୀମାରୁ ଉପରକୁ ଉଠି ସ୍ଥାନୀୟ ପୁଲିସ ଓ କାର୍ଯ୍ୟରତ ସାମ୍ବାଦିକ ବୃଦ୍ଧାଙ୍କ ଶେଷ ସଂସ୍କାର କରି ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।ସୂଚନା ଅନୁଯାୟୀ, ବସ୍ତା ଅଞ୍ଚଳର ଜଣେ ବୃଦ୍ଧାଙ୍କର ଗତକାଲି ମୃତ୍ୟୁ ହୋଇଥିଲା। ବୃଦ୍ଧାଙ୍କର ଦୁଇ ଜଣ ପୁଅ ଥିବା ବେଳେ କୌଣସି କାରଣବଶତଃ ସେମାନେ ମା’ଙ୍କ ଶବକୁ ସ୍ପର୍ଶ କରିବାକୁ କିମ୍ବା କାନ୍ଧ ଦେବାକୁ ମନା କରିଦେଇଥିଲେ। ଗାଁର ଅନ୍ୟ ଲୋକମାନେ ମଧ୍ୟ ଏହି ପାରିବାରିକ ବିବାଦ ଭିତରକୁ ଆସିବାକୁ ଚାହିଁନଥିଲେ। ଫଳରେ ମା’ଙ୍କ ମୃତଦେହ ଘର ବାରଣ୍ଡାରେ ଅନାଥ ଭଳି ପଡ଼ିରହିଥିଲା।ଏହି ଅଭାବନୀୟ ଘଟଣା ସମ୍ପର୍କରେ ଖବର ପାଇ ବସ୍ତା ଥାନା ପୁଲିସ ଏବଂ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଅମାନଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ ବିଳମ୍ବ ନକରି ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ଏବଂ ପୁଲିସ କର୍ମଚାରୀମାନେ ନିଜେ କୋକେଇ ପ୍ରସ୍ତୁତ କରିଥିଲେ।

ଜନ୍ମକଲା ପୁଅ ଯେଉଁଠି ପଛଘୁଞ୍ଚା ଦେଲେ, ସେଠାରେ ସାମ୍ବାଦିକ ଏବଂ ପୁଲିସ ଭାଇମାନେ ମା’ଙ୍କ ଶବକୁ କାନ୍ଧେଇ ସ୍ମଶାନ ପର୍ଯ୍ୟନ୍ତ ନେଇଥିଲେ। କେବଳ ସେତିକି ନୁହେଁ, ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି କାଠ ଯୋଗାଡ଼ କରିବା ସହ ସମସ୍ତ ହିନ୍ଦୁ ରୀତିନୀତି ଅନୁଯାୟୀ ବୃଦ୍ଧାଙ୍କର ଦାହସଂସ୍କାର କରିଥିଲେ।

ପୁଲିସ ଓ ସାମ୍ବାଦିକଙ୍କର ଏହି ମହତ କାର୍ଯ୍ୟକୁ ଦେଖି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ସେମାନଙ୍କୁ ବେଶ୍ ପ୍ରଶଂସା କରାଯାଉଛି। ଏହି ଘଟଣା ସମାଜକୁ ଏକ ବଡ଼ ବାର୍ତ୍ତା ଦେଇଛି ଯେ, ରକ୍ତର ସମ୍ପର୍କ ସ୍ୱାର୍ଥପର ହୋଇପାରେ କିନ୍ତୁ ସମାଜରୁ ଏବେ ବି ମାନବିକତା ସମ୍ପୂର୍ଣ୍ଣ ରୂପେ ହଜିଯାଇନାହିଁ।

Sidha Sambad
Author: Sidha Sambad

Leave a Comment

और पढ़ें