ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଏକ ବଡ଼ ଖବର। ଓଡ଼ିଶାରେ ଆଗକୁ ବଢ଼ିପାରେ ଖରାଛୁଟିର ଅବଧି। ସ୍କୁଲ ଖୋଲିବା ନେଇ ପୁନଃ ବିଚାର କରାଯାଇପାରେ। ଏନେଇ ଆଜି ଶୁକ୍ରବାର ଦିନ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଗଣଶିକ୍ଷା ମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ଓ ଖରାର ସ୍ଥିତିକୁ ସମୀକ୍ଷା କରାଯିବ। ଯଦି ପାଣିପାଗ ଅନୁକୂଳ ନରୁହେ, ତେବେ ଛୁଟି ସମ୍ପର୍କରେ ପୁନଃ ନିଷ୍ପତ୍ତି ନିଆଯିବ। ପୂର୍ବରୁ ଆସନ୍ତା ଜୁନ୍ ୨୨ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା। କିନ୍ତୁ ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହକୁ ଦେଖି ଏହି ସମୟସୀମା ଆଗକୁ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସ୍କୁଲ ଛୁଟି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିଲାମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ବଡ଼ ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ଗତ ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ବର୍ତ୍ତମାନ ପୁଣିଥରେ ପିଲାମାନଙ୍କ ସୁରକ୍ଷାକୁ ଆଖିପାଖରେ ରଖି ଗଣଶିକ୍ଷା ବିଭାଗ ପାଣିପାଗର ସ୍ଥିତି ଉପରେ ନଜର ରଖିଛି ଏବଂ ଆବଶ୍ୟକ ପଡ଼ିଲେ ଖରାଛୁଟି ଅବଧିକୁ ଆହୁରି କିଛି ଦିନ ବଢ଼ାଯାଇପାରେ ବୋଲଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ଜୁନ୍ ୨୨ ପରେ ସ୍କୁଲ ଖୋଲୁଛି ନା ଛୁଟି ଆହୁରି ବଢୁଛି, ତାହା ଆଗାମୀ ଦିନରେ ସରକାରଙ୍କ ଆନୁଷ୍ଠାନିକ ଘୋଷଣା ପରେ ସ୍ପଷ୍ଟ ହେବ।





