ବ୍ଲଗରଙ୍କୁ ସରକାରୀ ଥୋପ! ପ୍ରଚାର କଲେ ମିଳିବ ଦରମା? ଉପମୁଖ୍ୟମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକକୁ ନେଇ ଚର୍ଚ୍ଚା ଜୋର୍‌ I

👇समाचार सुनने के लिए यहां क्लिक करें

ସୋସିଆଲ ମିଡିଆ ବ୍ଲଗର, ୟୁଟ୍ୟୁବର ଏବଂ କଣ୍ଟେଣ୍ଟ କ୍ରିଏଟରଙ୍କୁ କିଛି ସରକାରୀ ଥୋପ ଦେବା ଲାଗି ଯୋଜନା ଚାଲିଛି କି? ସାମାଜିକ ଗଣମାଧ୍ୟମରେ ସରକାରଙ୍କ ପ୍ରଚାର କଲେ ବ୍ଲଗରମାନଙ୍କୁ ଦରମା କିମ୍ବା ଆର୍ଥିକ ସହାୟତା ମିଳିବ କି? ବାଲେଶ୍ୱରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଏକ ରୁଦ୍ଧଦ୍ୱାର ବୈଠକ ପରେ ଏବେ ଏଭଳି ଚର୍ଚ୍ଚା ରାଜ୍ୟ ରାଜନୀତି ଓ ଗଣମାଧ୍ୟମ ମହଲକୁ ସରଗରମ କରିଛି।

 ଇତିହାସରେ ପ୍ରଥମ ଥର ପାଇଁ ସାମାଜିକ ଗଣମାଧ୍ୟମର ପ୍ରଭାବୀ ବ୍ଲଗରମାନଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାଲେଶ୍ୱରଠାରେ ଏକ ସ୍ୱତନ୍ତ୍ର ବୈଠକ କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ୨ ବର୍ଷର ସଫଳତା ବାବଦରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯାଇଥିଲା। ମାତ୍ର ସେମାନେ ବାହାରିଯିବା ପରେ ଆରମ୍ଭ ହୋଇଥିଲା ବ୍ଲଗରଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା। ଯେଉଁଥିରେ ଜିଲ୍ଲାର ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯୁବ ବ୍ଲଗର ସାମିଲ ହୋଇଥିଲେ। ଏହି ବୈଠକରେ ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବାକୁ ବ୍ଲଗରଙ୍କୁ କୁହାଯାଇଛି। ଏପରିକି ସେମାନଙ୍କ ସାମାଜିକ ସୁରକ୍ଷା ବାବଦରେ ସରକାର କିଛି ପ୍ରାପ୍ୟ ଦେବାକୁ ଚିନ୍ତା କରୁଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆସନ୍ତା ଦୁଇ ମାସ ମଧ୍ୟରେ ସୋସିଆଲ ମିଡିଆ କଣ୍ଟେଣ୍ଟର ଭ୍ୟୁଜ୍, ଲାଇକ୍ ଓ କମେଣ୍ଟକୁ ମାପଦଣ୍ଡ କରି ୧୫ ଜଣ ଶ୍ରେଷ୍ଠ କ୍ରିଏଟରଙ୍କୁ ଚୟନ କରାଯିବ ବୋଲି ସେ କହିଛନ୍ତି। ଏଥିପାଇଁ ୪୧ ଜଣ ବ୍ଲଗରଙ୍କର ଏକ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି। ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ପରେ ଅନେକ ବ୍ଲଗର ସରକାରଙ୍କ ସହ କାମ କରିବାକୁ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରୁଥିବା ବେଳେ, ଅପରପକ୍ଷେ ଏହାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶ୍ନ ଉଠୁଛି, ସରକାରଙ୍କ ଠାରୁ ଆର୍ଥିକ ସହାୟତା ପାଇବା ପରେ ବ୍ଲଗରମାନେ ନିରପେକ୍ଷ ରହିପାରିବେ ତ? ନା ସେମାନେ ନିଜର ଭ୍ୟୁୟର୍ସଙ୍କୁ ନିରାଶ କରିବେ?

ବୁଦ୍ଧିଜୀବୀ ଓ ସାମ୍ବାଦିକ ମହଲର କହିବା କଥା, ସୋସିଆଲ ମିଡିଆ ବ୍ଲଗରମାନେ ଅନେକ ସମୟରେ ସରକାରୀ ବ୍ୟବସ୍ଥାର ଦୋଷ ଦୁର୍ବଳତାର ବାସ୍ତବ ଚିତ୍ର ଲୋକଲୋଚନକୁ ଆଣିଥାନ୍ତି। ଯାହା ଅନେକ ସମୟରେ ସରକାର ବିରୋଧୀ ବାର୍ତ୍ତା ଦେଇଥାଏ। ଏବେ ଏହି ସ୍ୱରକୁ ଚାପି ଦେବା ପାଇଁ କିମ୍ବା ବ୍ଲଗରଙ୍କ ସହ ସାଲିସ କରିବା ପାଇଁ ସରକାର ଏଭଳି ପରୋକ୍ଷ କବଜା କରିବାକୁ ଚେଷ୍ଟା କରୁଛନ୍ତି କି? ଆପତ୍ତିଜନକ କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ହେଉ, ମାତ୍ର ସତ୍ୟ ଓ ନିରପେକ୍ଷତା ବିକ୍ରି ନହେଉ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

Sidha Sambad
Author: Sidha Sambad

Leave a Comment

और पढ़ें