ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ଚାଞ୍ଚଲ୍ୟକର ଜାଲିଆତି ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ତଥା ପେଶାରେ ଡାକ୍ତର ହୋଇ ମଧ୍ୟ କରୁଥିଲେ ଏଡ଼େ ବଡ଼ ଜାଲିଆତି! ଅନ୍ୟ ଜଣଙ୍କ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବରକୁ ନିଜ ଦାମୀ କାର୍ରେ ଲଗାଇ ବେଫିକର ଭାବେ ରାଜଧାନୀ ଛାତିରେ ବୁଲୁଥିଲେ। ହେଲେ ଶେଷରେ ପାପ ଘଡ଼ି ଭାଙ୍ଗିଛି ଏବଂ ପୋଲିସ ଜାଲରେ ଛନ୍ଦି ହୋଇଛନ୍ତି ଏହି ହାଇପ୍ରୋଫାଇଲ୍ ଡାକ୍ତର।
ସୂଚନା ଅନୁଯାୟୀ, ଉକ୍ତ ଡାକ୍ତର ଜଣକ ନିଜ କାର୍ରେ ଅନ୍ୟ ଏକ ଗାଡ଼ିର ନମ୍ବର ପ୍ଲେଟ୍ ବ୍ୟବହାର କରୁଥିଲେ। ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ପରେ ଯେତେବେଳେ ଅନ୍ୟ ଗାଡ଼ିର ଅସଲି ମାଲିକଙ୍କ ମୋବାଇଲ୍କୁ ବାରମ୍ବାର ଅନ୍ଲାଇନ୍ ଚାଲାଣ କଟିବାର ମେସେଜ୍ ଗଲା, ସେତେବେଳେ ଘଟଣା ସାମ୍ନାକୁ ଆସିଥିଲା। ଅସଲି ମାଲିକ ଜଣକ ଏ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ପୋଲିସ ନିକଟରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ପୋଲିସ ଯେତେବେଳେ ତଦନ୍ତ ଆରମ୍ଭ କଲା ଏବଂ ସିସିଟିଭି ଫୁଟେଜ୍ ଆଧାରରେ ଗାଡ଼ିକୁ ଜବତ କଲା, ସେତେବେଳେ ସତ ସାମ୍ନାକୁ ଆସିଥିଲା। ଗାଡ଼ି ଭିତରୁ ଜଣେ ପ୍ରତିଷ୍ଠିତ ଡାକ୍ତର ବାହାରିଥିଲେ। ଜାଲ୍ ନମ୍ବର ପ୍ଲେଟ୍ ବ୍ୟବହାର କରିବା ଅଭିଯୋଗରେ ପୋଲିସ ବର୍ତ୍ତମାନ ଗାଡ଼ିକୁ ଜବତ କରିବା ସହ ଡାକ୍ତରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
ଏଠାରେ ପ୍ରଶ୍ନ ଉଠୁଛି, ଜଣେ ଶିକ୍ଷିତ ଏବଂ ଦାୟିତ୍ୱବାନ ନାଗରିକ ହୋଇ ମଧ୍ୟ କେଉଁ ଉଦ୍ଦେଶ୍ୟରେ ଡାକ୍ତର ଜଣକ ଏଭଳି ବେଆଇନ କାମ କରୁଥିଲେ? କେବଳ ଟ୍ରାଫିକ୍ ଚାଲାଣରୁ ବର୍ତ୍ତିବା ପାଇଁ ନା ଏହା ପଛରେ ରହିଛି ଅନ୍ୟ କିଛି ବଡ଼ ରହସ୍ୟ?


