ଆସନ୍ତା ୧୫ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା

👇समाचार सुनने के लिए यहां क्लिक करें

ଓଡ଼ିଶାରେ ପୁଣି ବର୍ଷାର ପ୍ରକୋପ ବଢ଼ିବାକୁ ଯାଉଛି। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହାର ପ୍ରଭାବରେ ଆସନ୍ତା ୧୫ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଯୋଗୁଁ ବିଶେଷ କରି ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଗତ ସୋମବାର ବାଲେଶ୍ବର, ଚାନ୍ଦବାଲି, ପାରାଦ୍ବୀପ, ବାରିପଦା ଏବଂ କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ହାଲୁକା ବର୍ଷା ରେକର୍ଡ କରାଯାଇଛି। ତେବେ ମଙ୍ଗଳବାର ଏବଂ ବୁଧବାର ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

  • ଅରେଞ୍ଜ ୱାର୍ଣ୍ଣିଂ: ଆସନ୍ତା ୨4 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲାକୁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି।

  • ୟେଲୋ ୱାର୍ଣ୍ଣିଂ: ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା ଏବଂ ନୟାଗଡ଼ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଏହି ସବୁ ଜିଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଦିଆଯାଇଛି।

ଏହା ବ୍ୟତୀତ ରାଜ୍ୟର ବାକି ସମସ୍ତ ଜିଲାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ଦୁଇ ଦିନ ପାଣିପାଗର ଏହି ବଦଳୁଥିବା ରୂପକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें