ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଓସିସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗିରଫ I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର/କୋରାପୁଟ: ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ମାମଲାରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ନିର୍ମାଣ ନିଗମ (ଓସିସି) ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ବର୍ତ୍ତମାନ ସେ ଲୋୟର ସୁକତେଲ ପ୍ରକଳ୍ପରେ ବଲାଙ୍ଗୀରସ୍ଥିତ ଓସିସିଏଲ୍‌ରେ ନିୟୋଜିତ ଥିଲେ। ଗିରଫ ପରେ ତାଙ୍କୁ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି।

ଭିଜିଲାନ୍ସର ସୂଚନା ଅନୁସାରେ, ସଞ୍ଜୟ କୁମାର କିସପଟ୍ଟା ପୂର୍ବରୁ କୋରାପୁଟ ଆଇଟିଡିଏରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ବିଭିନ୍ନ ସ୍ଥାନରେ କରାଯାଇଥିବା ଚଢ଼ାଉ ଓ ତଲାସି ସମୟରେ ବ୍ୟାପକ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ଦାବି କରିଛି।

ତଦନ୍ତରେ ତାଙ୍କ ନାମରେ ୨ଟି ବହୁମହଲା କୋଠା ମିଳିଛି। ସେଥିରୁ ଗୋଟିଏ ପ୍ରାୟ ୮,୦୦୦ ବର୍ଗଫୁଟ୍ କ୍ଷେତ୍ରଫଳ ବିଶିଷ୍ଟ ବାଣିଜ୍ୟିକ କୋଠା, ଯେଉଁଥିରେ ୨୩ଟି କୋଠରୀ ସହ ୩-ତାରକା ହୋଟେଲ ସୁବିଧା ରହିଛି। ଏହା ସହ ୯ଟି ଉଚ୍ଚମୂଲ୍ୟର ପ୍ଲଟ୍, ୪୬ ଲକ୍ଷ ୯ ହଜାର ଟଙ୍କାରୁ ଅଧିକ ବ୍ୟାଙ୍କ ଜମା, ୧ ଲକ୍ଷ ୧୬ ହଜାର ଟଙ୍କା ନଗଦ, ୩୨୫.୫୬୨ ଗ୍ରାମ ସୁନା, ୧.୧୨୧ କିଲୋଗ୍ରାମ ରୂପା ଏବଂ ୨ଟି ଚାରିଚକିଆ ଯାନ ଠାବ କରାଯାଇଛି।

ଭିଜିଲାନ୍ସ କହିଛି, ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସଞ୍ଜୟ କୁମାର କିସପଟ୍ଟା ସନ୍ତୋଷଜନକ ବ୍ୟାଖ୍ୟା ଦେଇପାରି ନଥିଲେ। ଏହାକୁ ଆଧାର କରି କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ ମାମଲା ନଂ–୧୫/୨୦୨୬ ରୁଜୁ କରାଯାଇଛି।

ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ, ଭିଜିଲାନ୍ସ ପକ୍ଷରୁ ସମ୍ପତ୍ତିର ଉତ୍ସ ଏବଂ ଅନ୍ୟାନ୍ୟ ଆର୍ଥିକ କାରବାରକୁ ନେଇ ଅଧିକ ଖୋଳତାଡ଼ କରାଯାଉଛି।

Sidha Sambad
Author: Sidha Sambad

Leave a Comment

और पढ़ें