ଭୁବନେଶ୍ୱର: ଡିଜିଟାଲ ନବସୃଜନ, କୃତ୍ରିମ ବୁଦ୍ଧିମତ୍ତା, ସ୍ଥାୟୀ ପର୍ଯ୍ୟଟନ, ଐତିହ୍ୟ ସୁରକ୍ଷା, ଦୁଃସାହସିକ ପର୍ଯ୍ୟଟନ ଓ ସ୍ଥାନୀୟ ସମୁଦାୟର ଅଧିକ ଅଂଶଗ୍ରହଣକୁ ନେଇ ଓଡ଼ିଶାରେ ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୬ ପାଳିତ ହୋଇଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଚଳିତ ବର୍ଷର ବିଶ୍ୱ ପର୍ଯ୍ୟଟନ ଦିବସର ବିଷୟବସ୍ତୁ “Digital Agenda and Artificial Intelligence to Redesign Tourism” ଆଧାରରେ କାର୍ଯ୍ୟକ୍ରମରେ ପର୍ଯ୍ୟଟନ କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତି ଓ ନବସୃଜନର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ, ପର୍ଯ୍ୟଟନ କ୍ଷେତ୍ର ରୋଜଗାର ଓ ଉଦ୍ୟମିତା ସୃଷ୍ଟି ସହ ସ୍ଥାନୀୟ ସମୁଦାୟକୁ ଓଡ଼ିଶାର ବିକାଶ ଯାତ୍ରାର ସକ୍ରିୟ ଅଂଶୀଦାର କରିପାରିବ। ଯୁବକ, ମହିଳା, କାରିଗର, ଉଦ୍ୟୋଗୀ ଓ ପର୍ଯ୍ୟଟନ ସେବା ପ୍ରଦାନକାରୀଙ୍କ ନିକଟରେ ପର୍ଯ୍ୟଟନର ଲାଭ ପହଞ୍ଚାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ, ସହଭାଗିତା ଓ ନବସୃଜନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ହୋମ୍ଷ୍ଟେ ପାଇଁ SBI ସହ ଚୁକ୍ତି
କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ମଧ୍ୟରେ ହୋମ୍ଷ୍ଟେ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ନେଇ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି। ଏହା ମାଧ୍ୟମରେ ଗ୍ରାମୀଣ ଓ ସ୍ଥାନୀୟ ସ୍ତରରେ ପର୍ଯ୍ୟଟନ ଉଦ୍ୟମିତାକୁ ଅଧିକ ସୁଯୋଗ ମିଳିବ।
ଦୁଃସାହସିକ ପର୍ଯ୍ୟଟନର ବିକାଶ ପାଇଁ Indian Kayaking & Canoeing Association ସହ ମଧ୍ୟ ପର୍ଯ୍ୟଟନ ବିଭାଗ MoU ସ୍ୱାକ୍ଷର କରିଛି।
ଚିଲିକାରେ ଇଭି ବୋଟ୍ ଓ କାଟାମାରା
ଚିଲିକା ହ୍ରଦର ବରକୁଳଠାରେ OTDC EV Boat ଏବଂ ଚିଲିକାରେ Swosti Catamaranର ଭର୍ଚୁଆଲ୍ ଫ୍ଲାଗ୍ଅଫ୍ କରାଯାଇଥିଲା। ପର୍ଯ୍ୟଟକଙ୍କ ଯାତାୟାତ ଓ ଅନୁଭୂତିକୁ ଅଧିକ ସୁବିଧାଜନକ କରିବା ଦିଗରେ ଏହା ଏକ ନୂଆ ପଦକ୍ଷେପ।
ଏହାସହ ଐତିହ୍ୟ ପର୍ଯ୍ୟଟନର ବିକାଶ ଓ ଐତିହାସିକ ସ୍ଥଳୀର ସୁରକ୍ଷା ପାଇଁ ପର୍ଯ୍ୟଟନ ବିଭାଗ ଓ Archaeological Survey of India (ASI) ମଧ୍ୟରେ MoU ସ୍ୱାକ୍ଷର ହୋଇଛି। ASIର ମହାନିର୍ଦ୍ଦେଶକ ଶ୍ରୀ ଯଦୁବୀର ସିଂହ ରାୱତ ଐତିହ୍ୟ ସମ୍ପଦର ସୁରକ୍ଷା ଓ ପର୍ଯ୍ୟଟନ ସହ ଏହାର ସମନ୍ୱୟ ଉପରେ ମତ ରଖିଥିଲେ।
୧୭ ହୋମ୍ଷ୍ଟେ ହିତାଧିକାରୀଙ୍କୁ ପ୍ରମାଣପତ୍ର
ହୋମ୍ଷ୍ଟେ ଯୋଜନା ଅଧୀନରେ ୧୭ ଜଣ ହିତାଧିକାରୀଙ୍କୁ Provisional Registration Certificate (PRC) ପ୍ରଦାନ କରାଯାଇଥିଲା। ଏହା ସହ ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରର Adventure Tour Operatorsମାନଙ୍କୁ LTO/RTS ମଧ୍ୟ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ “Redesigning Tourism with Digital Innovation” ଶୀର୍ଷକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଡିଜିଟାଲ ପ୍ରଯୁକ୍ତି କିପରି ପର୍ଯ୍ୟଟନ ସ୍ଥଳୀ ଚିହ୍ନଟ, ସେବା ପ୍ରାପ୍ତି ଓ ପର୍ଯ୍ୟଟକଙ୍କ ଅନୁଭୂତିକୁ ନୂଆ ରୂପ ଦେଉଛି, ତାହା ଏଥିରେ ପ୍ରଦର୍ଶିତ ହୋଇଥିଲା।
ହୋମ୍ଷ୍ଟେ ମାଲିକମାନଙ୍କ ପାଇଁ Capacity Building Workshop ଏବଂ Ethnic Tourism Initiative ଉପରେ Sensitization Workshop ମଧ୍ୟ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ UNDPର ଡେପୁଟି ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ୍ ଶ୍ରୀମତୀ ଇସାବେଲ୍ ଟ୍ସାନ୍ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ପର୍ଯ୍ୟଟନ ବିକାଶ ନେଇ ଆନ୍ତର୍ଜାତିକ ଦୃଷ୍ଟିକୋଣ ରଖିଥିଲେ।
ଅନ୍ୟପକ୍ଷରେ, ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ବଢ଼ାଇବା ଲକ୍ଷ୍ୟରେ OTDCର ଲକ୍ସୁରୀ କୋଚ୍ ଫ୍ଲାଗ୍ଅଫ୍ କରାଯାଇଥିଲା। କାର୍ଯ୍ୟକ୍ରମରେ ‘ମନ୍ କି ବାତ୍’ର ସ୍କ୍ରିନିଂ ସହ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ପର୍ଯ୍ୟଟନ ପଦକ୍ଷେପ ଉପରେ ଆଧାରିତ ଭିଡିଓ ପ୍ରଦର୍ଶିତ ହୋଇଥିଲା।
ପର୍ଯ୍ୟଟନ ବିଭାଗର କମିଶନର-କମ୍-ସଚିବ ଶ୍ରୀ ବଲୱନ୍ତ ସିଂହ କହିଥିଲେ ଯେ, ବିଶ୍ୱ ପର୍ଯ୍ୟଟନ ଦିବସରେ ଆରମ୍ଭ ହୋଇଥିବା ପଦକ୍ଷେପଗୁଡ଼ିକ ଓଡ଼ିଶାରେ ନୂଆ ପର୍ଯ୍ୟଟନ ଅନୁଭୂତି ସୃଷ୍ଟି ସହ ସ୍ଥାନୀୟ ଉଦ୍ୟମିତା, ଅନୁଷ୍ଠାନିକ ସହଭାଗିତା ଓ ସମୁଦାୟର ଅଂଶଗ୍ରହଣକୁ ମଜବୁତ କରିବ।
ଖଣ୍ଡଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ
ବିଶ୍ୱ ପର୍ଯ୍ୟଟନ ଦିବସର ଦିନବ୍ୟାପୀ କାର୍ଯ୍ୟକ୍ରମର ଶେଷରେ ଖଣ୍ଡଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋର ଔପଚାରିକ ଉଦ୍ଘାଟନ କରାଯିବ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆମନ୍ତ୍ରିତ ଅତିଥିମାନେ ଏହି ନୂଆ ଶୋ’ର ଅନୁଭୂତି ନେବେ।
ଐତିହ୍ୟ ସ୍ଥଳୀ ଖଣ୍ଡଗିରିରେ ପ୍ରଯୁକ୍ତି ଓ ଇମର୍ସିଭ୍ ଷ୍ଟୋରିଟେଲିଂ ମାଧ୍ୟମରେ ଓଡ଼ିଶାର ଐତିହ୍ୟକୁ ପର୍ଯ୍ୟଟକଙ୍କ ନିକଟରେ ଅଧିକ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରିବା ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ମୁଖ୍ୟ ଉଦ୍ଦେଶ୍ୟ।