ନୂଆଦିଲ୍ଲୀ: ଭୋଟର ତାଲିକାର ‘ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍’ (SIR) ଏବଂ ବିଭିନ୍ନ ଅନିୟମିତତା ଅଭିଯୋଗକୁ ନେଇ ସାରା ଦେଶରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିରୋଧୀଙ୍କ ନିଶାଣରେ ଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଜୋର ଧରୁଥିବା ବେଳେ, ଗୁଇନ୍ଦା ସୂଚନା ଏବଂ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ଜ୍ଞାନେଶ କୁମାରଙ୍କୁ Z+ (ଜେଡ୍ ପ୍ଲସ୍) ସୁରକ୍ଷା ଯୋଗାଇ ଦିଆଯାଇଛି। ଏହି ବ୍ୟବସ୍ଥା ଅଧୀନରେ ତାଙ୍କ ବାସଭବନ ଏବଂ କାରକେଡ୍ ପାଇଁ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି, ଯେଉଁଥିରେ ପ୍ରତି ଶିଫ୍ଟରେ ପ୍ରାୟ ୫୦ ଜଣ ସୁରକ୍ଷାକର୍ମୀ ନିୟୋଜିତ ରହିବେ। ଦିଲ୍ଲୀରେ ବିରୋଧୀ ଦଳ ‘ଇଣ୍ଡିଆ’ (INDIA) ମେଣ୍ଟର ପ୍ରଦର୍ଶନକୁ ନଜରରେ ରଖି ତାଙ୍କ ଘର ବାହାରେ ଏବଂ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ନିକଟରେ ଅତିରିକ୍ତ ଦିଲ୍ଲୀ ପୋଲିସ ଓ ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ (CRPF) ଯବାନଙ୍କୁ ମୁତୟନ କରାଯାଇଛି।