ନୂଆଦିଲ୍ଲୀ:
ସିଜିପି (CJP) ର ପ୍ରତିବାଦ କାର୍ଯ୍ୟକ୍ରମକୁ ନେଇ ଦିଲ୍ଲୀ ପୋଲିସ ଏବଂ ମେଟ୍ରୋ ପ୍ରଶାସନ ଦ୍ୱାରା ୫୭ଟି ମେଟ୍ରୋ ଷ୍ଟେସନ ବନ୍ଦ କରାଯିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ, “ସାଧାରଣ ସମସ୍ୟା କିମ୍ବା ମାଛି ମାରିବା ପାଇଁ ହାତୁଡ଼ି ବ୍ୟବହାର କରିବା ଉଚିତ୍ ନୁହେଁ”।
ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ, କୌଣସି ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ସାଧାରଣ ନାଗରିକଙ୍କ ନିତ୍ୟବ୍ୟବହୃତ ଗମନାଗମନ ବ୍ୟବସ୍ଥାକୁ ଏପରି ସମ୍ପୂର୍ଣ୍ଣ ଠପ୍ କରିଦେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ସମସ୍ତଙ୍କ ପାଖରେ ନିଜସ୍ୱ କାର୍ ନଥାଏ, ତେଣୁ ସାଧାରଣ ଜନତା, ଶ୍ରମିକ ଏବଂ ଯାତ୍ରୀମାନେ ଅତ୍ୟାବଶ୍ୟକ କାମ ପାଇଁ ଗଣପରିବହନ ଉପରେ ନିର୍ଭର କରନ୍ତି।
କୋର୍ଟ କହିଛନ୍ତି ଯେ ଆଇନ ଶୃଙ୍ଖଳା ରକ୍ଷା କରିବା ଏବଂ ପ୍ରତିବାଦ କରିବାର ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ। କିନ୍ତୁ ସୁରକ୍ଷା ନାଁରେ ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଉଥିବା ଭଳି କଠୋର ପଦକ୍ଷେପ ଗ୍ରହଣ କରାଯିବା ନିନ୍ଦନୀୟ।